ଦ୍ରୁତ ଗତିରେ ବିସ୍ତାର କରୁଛି ଓମିକ୍ରନ୍, କରୋନାର ନୂଆ ମ୍ୟୁଟାଣ୍ଟ ନେଇ ଚେତାଇଲେ ଜୋ ବାଇଡେନ

Published By : Prameya-News7 Bureau | December 17, 2021 IST

ଓ୍ୱାଶିଂଟନ ୧୭/୧୨: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରକାର ଓମିକ୍ରନ୍ ବିଶ୍ୱକୁ ଚିନ୍ତାରେ ପକାଇଛି । ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ ଚେତାବନୀ ଦେଇଛନ୍ତି ଯେ କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଆମେରିକାରେ ଖୁବ ଶୀଘ୍ର ବ୍ୟାପିବା ଆରମ୍ଭ କରିବ । ଏଥିପାଇଁ ସେ ଆମେରିକା ବାସୀଙ୍କୁ ଟିକା ନେବାକୁ ନିବେଦନ କରିଛନ୍ତି ।

ଭୂତାଣୁକୁ ମାତ୍ ଦେବାକୁ ଟିକାକରଣ ଆବଶ୍ୟକ ବୋଲି ସେ କହିଛନ୍ତି । ସେ ଅନୁମାନ କରିଛନ୍ତି ଯେ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଶୀତଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ସୂଚନା ଥାଉକି, ଡିସେମ୍ବର ୧ ସୁଦ୍ଧା, ଦୈନିକ ସଂକ୍ରମଣର ହାରାହାରି ୮୬,୦୦୦ ଥିଲା । କିନ୍ତୁ ୧୪ ଡିସେମ୍ବରରେ ଏହା ୧,୧୭,୦୦୦ କୁ ବୃଦ୍ଧି ପାଇଲା । ମୋଟ ଉପରେ ୩୫ ପ୍ରତିଶତ ମାମଲା ବୃଦ୍ଧି ପାଇଛି ।

ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଆମେରିକା ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି । G7 ରେ ଅଂଶଗ୍ରହଣ କରୁଥିବା ସ୍ୱାସ୍ଥ୍ୟମନ୍ତ୍ରୀମାନେ ଗୁରୁବାର ଦିନ ଓମିକ୍ରନ୍ ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ବିଶ୍ୱର ଜନସ୍ୱାସ୍ଥ୍ୟ ପାଇଁ ଏହା ସବୁଠାରୁ ବଡ ବିପଦ ବୋଲି ସେ କହିଛନ୍ତି । କରୋନାର ଏହି ନୂତନ ପ୍ରକାର ଅନେକ ଦେଶରେ ବ୍ୟାପିଛି ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ କରୋନାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ବର୍ତ୍ତମାନ, ପ୍ରିତିଦିନ ହାରାହାରି ୧,୧୫୦ ଲୋକ ପ୍ରତିଦିନ କରୋନାରେ ମୃତ୍ୟୁ ବରଣ କରୁଛନ୍ତି । ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଆମେରିକାର ଅନେକ ବିଶ୍ୱବିଦ୍ୟାଳୟ ପୁନର୍ବାର ଅନଲାଇନ୍ ଧାରାକୁ ଫେରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.