ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଡୋନାଲ୍ଡ ଟ୍ରମ୍ପ୍ ଏବଂ ପତ୍ନୀ ମେଲାନିଆ
25/02/2020 at 11:07 AM

ନୂଆଦିଲ୍ଲୀ ୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ଦ୍ବିତୀୟ ଦିନ । ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଟ୍ରମ୍ପଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଛି ।

ରାଷ୍ଟ୍ରପତି ଭବନରୁ ସିଧା ରାଜଘାଟ ପହଞ୍ଚିଥିଲେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ । ରାଜଘାଟରେ ମାହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉଭୟ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ।

ଏହାପରେ ଡୋନାଲ୍ଡ ଟ୍ରମ୍ପ୍ ରାଜଘାଟର ଭିଜିଟର ବୁକ୍ ରେ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଏହାସହ ପତ୍ନୀ ମେଲାନିଆଙ୍କ ସହ ଏକ ବୃକ୍ଷ ମଧ୍ୟ ରୋପଣ କରିଛନ୍ତି । ରାଜଘାଟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ ।

ଟ୍ରମ୍ପ୍ ଙ୍କ ଗସ୍ତ ପୂର୍ବରୁ ସୋମବାର ଦିନଠୁ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟରେ ବିଦେଶୀ ଏବଂ ସ୍ଥାନୀୟ ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଆୟରଲାଣ୍ଡରୁ ଦିଲ୍ଲୀ ଆସିଥିବା ପ୍ରାୟ ୧୮ପର୍ଯ୍ୟଟକଙ୍କୁ ରାଜଘାଟରେ ପ୍ରବେଶ କରିବାକୁ ଦିଆଯାଇନଥିଲା । ସ୍ମାରକ ସ୍ଥଳ ବନ୍ଦ ହେବା କାରଣରୁ ପର୍ଯ୍ୟଟକ ନିରାଶ ମଧ୍ୟ ହୋଇଛନ୍ତି ।

ରାଜଘାଟରୁ ହାଇଦ୍ରାବାଦ ହାଉସ୍ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଟ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।