ଚେନ୍ନାଇରେ ମରାମତି ପାଇଁ ପହଞ୍ଚିଲା ଆମେରିକା ନୌସେନାର ଜାହାଜ, ନୂଆଦିଲ୍ଲୀ-ୱାଶିଂଟନର ବନ୍ଧୁତା ବେଜିଂକୁ ଝଟକା

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ଆମେରିକା ନୌସେନାର ଜାହାଜ ପ୍ରଥମ ଥର ପାଇଁ ଭାରତର କୌଣସି ବନ୍ଦରେ ପହଞ୍ଚି ମରାମତି ପାଇଁ ଅଟକିଛି । ଏହା ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ବୁଝାମଣାର ଏକ ଅଂଶ । ଚେନ୍ନାଇର କଟ୍ଟୁପଲ୍ଲୀ ଶିପୟାର୍ଡରେ ରବିବାର ଆମେରିକାର ଏହି ଜାହଜ ପହଞ୍ଚିଛି । ସୂଚନା ଅନୁସାରେ ୧୧ ଦିନ ଯାଏଁ ଜାହାଜଟି ଏହି ଶିପୟାର୍ଡରେ ରହିବ। ଭାରତ-ଚୀନ ମଧ୍ୟରେ ଦୁଇ ବର୍ଷ ଧରି ଏଲଏସିରେ ଜାରି ଥିବା ବିବାଦ ମଧ୍ୟରେ ଏହି ଘଟଣା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ଅନ୍ୟପଟେ ତାଇୱାନକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ବି ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ଭାରତ ଏବଂ ଆମେରିକା ମଧ୍ୟରେ ଏହି ବନ୍ଧୁତା ଚୀନ ପାଇଁ ବଡ଼ ଝଟକା ହୋଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ‘ଆମେରିକା ଜାହାଜ ମରାମାତି ପାଇଁ ଭାରତର କୌଣସି ବନ୍ଦରରେ ରହିବାରେ ଏହା ପ୍ରଥମ ଘଟଣା । ଆମେରିକା ନୌସେନା ଦୁଇ ଦେଶର ବୁଝାମଣା ଅନୁସାରେ କଟ୍ଟୁପଲ୍ଲୀର ଏଲ ଆଣ୍ଡ ଟି ଶିପୟାର୍ଡକୁ ମରାମତିର କଣ୍ଟ୍ରାକ୍ଟ ଦେଇଛି । ଏହା ଭରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ବଡ଼ ଉଦାହରଣ । ଅନ୍ୟପଟେ ଏହା ବିଶ୍ୱ ବଜାରରେ ଭାରତର ଶିପୟାର୍ଡ କ୍ଷମତାକୁ ମଧ୍ୟ ପ୍ରଦର୍ଶିତ କରିଛି । ଏଠାରେ କମ ମୂଲ୍ୟରେ ଏବଂ କମ ସମୟରେ ଜାହାଜର ମରାମତି ହୋଇପାରିବ । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ’।

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲରେ ୱାଶିଂଟନରେ ହୋଇଥିବା ଟୁ-ପ୍ଲସ-ଟୁ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଏହା ଉପରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.