US ମିଜାଇଲ ଇନଭେଣ୍ଟ୍ରି ଖାଲି, ୮ ଦିନ ଯୁଦ୍ଧ ପାଇଁ ଅଛି ରସଦ, ପୂର୍ବ ପେଣ୍ଟାଗନ ଅଧିକାରୀ କହିଲେ-ଏବେ ଆଣବିକ ଅସ୍ତ୍ର ସାହାରା

Published By : Prameya-News7 Bureau | July 19, 2025 IST

ୱାସିଂଟନ ୧୯।୭: ପେଣ୍ଟାଗନର ଜନୈକ ପୂର୍ବତନ ସାମରିକ ପରାମର୍ଶଦାତା ଆମେରିକାର ସୈନ୍ୟ ପ୍ରସ୍ତୁତି ନେଇ ଏକ ଗମ୍ଭୀର ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ମିଜାଇଲ ଇନଭେଣ୍ଟ୍ରିରେ ମାତ୍ର ୮ ଦିନ ଲଢିବା ଲାଗି ଅସ୍ତ୍ରଶସ୍ତ୍ର ମହଜୁଦ ଅଛି। ଏହା ପରେ ଆମେରିକାକୁ ଆଣବିକ ଅସ୍ତ୍ର ଉପରେ ନିର୍ଭର କରିବାକୁ ପଡିବ। ଅବସର ପ୍ରାପ୍ତ କର୍ଣ୍ଣେଲ ଡଗଲାସ୍ ମ୍ୟାକଗ୍ରେଗର ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। 

ମ୍ୟାକ୍ ଗ୍ରେଗର ଯିଏ କେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିରକ୍ଷା ସଚିବଙ୍କ ବରିଷ୍ଠ ପରାମର୍ଶଦାତା ଥିଲେ ସେ ଏକ୍ସରେ ବିଶ୍ୱସନୀୟ ସୂତ୍ରରୁ ଏହି ସୁଚନା ସେୟାର କରିଛନ୍ତି। ସେ କହିଛନ୍ତି ଏବେ ୟୁକ୍ରେନ ଯୁଦ୍ଧ ଲାଗି ଆମେରିକାକୁ ଅସ୍ତ୍ରଶସ୍ତ୍ର ପଠାଇବା ବନ୍ଦ କରିବାକୁ ହେବ। ନଚେତ ଏବେ ଯେତିକି ଅସ୍ତ୍ରଶସ୍ତ୍ର ଅଛି ସେଥିରେ କେବଳ ୮ ଦିନର ଯୁଦ୍ଧ ଲଢାଯାଇ ପାରିବ ଓ ଆମକୁ ପରବର୍ତ୍ତି କାର୍ଯ୍ୟପନ୍ଥା ଭାବେ ପରମାଣୁ ଅସ୍ତ୍ର ଉପରେ ନିର୍ଭର ହେବାକୁ ପଡିବ। 

ମ୍ୟାକ ଗ୍ରେଗରଙ୍କ ଏହି ଟିପ୍ପଣୀ ସେତେବେଳେ ଆସିଛି ଯେତେବେଳେ ଆମେରିକାର ଅସ୍ତ୍ର ଭଣ୍ଡାରକୁ ନେଇ ଚିନ୍ତା ଉପୁଜିଛି, କାରଣ ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ଜାରି ରଖିଛି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ପରେ କିଭ ନିମନ୍ତେ ଅସ୍ତ୍ରଶସ୍ତ୍ରର ସହଯୋଗର ଏକ ବଡ଼ ଘୋଷଣା କରିଥିଲେ, ଏଣୁ ସୈନ୍ୟ ସହାୟତା ରୋକିବା ପାଇଁ ତାଙ୍କ ପ୍ରାରମ୍ଭିକ ଆଭିମୁଖ୍ୟ ବଦଳି ଯାଇଥିଲା। ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ୟୁକ୍ରେନୀୟ ଅଧିକାରୀ ଉଚ୍ଚ ପ୍ରଶଂସା କରିଥିଲେ। ତେବେ ୱାସିଂଟନ ରକ୍ଷା ବିଶ୍ଲେଷକ ଏ କଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। 

ବର୍ତ୍ତମାନ ପରିସ୍ଥିତିରୁ ଯାହା ଜଣାପଡୁଛି ପେଣ୍ଟାଗନ ତାର ଉଚ୍ଚସ୍ତରୀୟ ଅସ୍ତ୍ର ପୁଣି ଭରିବା ପାଇଁ ଆହ୍ୱାନର ସମ୍ମୁଖୀନ ହେଉଛି। କାରଣ ଲଙ୍ଗରେଞ୍ଜ ମିଜାଇଲ, ପ୍ୟାଟ୍ରିୟଟ ଇଣ୍ଟରସେପ୍ଟର ଓ ୧୫୫ ଏମଏମ ତୋପ ଗୋଳା ସମେତ କିଛି ପ୍ରମୁଖ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଉତ୍ପାଦନ ଓ ଯୋଗାଣ କାରଣରୁ ପ୍ରଥମରୁ ବିଳମ୍ବିତ ହେଉଛି। ଏଥିରେ ମ୍ୟକ୍ ଗ୍ରେଗରଙ୍କ ବୟାନ ଆମେରିକୀୟ ଅସ୍ତ୍ର ଉପଯୋଗର ଉପାୟ ଓ ସ୍ଥାନର ପୁନର୍ବିଚାର ନିମନ୍ତେ ଚାପ ବଢୁଛି। 

ଏଥି ଯୋଗୁ ଋଷିଆ ସହିତ ଆମେରିକାର ଉତ୍ତେଜନା ମଧ୍ୟ ବଢିବାରେ ଲାଗିଛି। ମସ୍କୋ ୟୁକ୍ରେନ ଉପରେ ଋଷୀୟ କ୍ଷେତ୍ରର ନାଗରିକ ଅଞ୍ଚଳକୁ ଆକ୍ରମଣ ଲାଗି ଆମେରିକା ଓ ସହଯୋଗୀଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଅସ୍ତ୍ରର ଉପଯୋଗ କରୁଥିବା ଅଭିଯୋଗ କରୁଛି। କ୍ରେମଲିନ ଅନୁସାରେ ଏପରି କାର୍ଯ୍ୟାନୁଷ୍ଠାନ ଶାନ୍ତିବାର୍ତ୍ତା ନିମନ୍ତେ କୌଣସି ପ୍ରକାରର ଆଶାକୁ ଦୁର୍ବଳ କରୁଛି। ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏହା ପୂର୍ବରୁ କହିଥିଲେ ଯେ ଏପରି ଅସ୍ତ୍ର ମୁତୟନ ଯୁଦ୍ଧର ଦିଶାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। ସେ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ ଯଦି ନାଟୋ ସିଧାଶଳଖ ଯୁଦ୍ଧରେ ସାମିଲ ହୁଏ ତେବେ ଋଷିଆ ନିଜର ଯୁଦ୍ଧ ରଣନୀତି ସଂଶୋଧନ କରିବ। 

ବାଇଡେନ ପ୍ରଶାସନ ଓ ଟ୍ରମ୍ପଙ୍କ ଟିମ୍ କୁ ଏବେ ଦେଶ ଓ ବିଦେଶରେ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ଏଥିରେ ଏବେ ପ୍ରଶ୍ନ ଉଠୁଛି ଆମେରିକା ନିଜର ପ୍ରତିରକ୍ଷାକୁ ଦୁର୍ବଳ ନ କରି ନିଜର ବିଦେଶୀ ସଂକଳ୍ପକୁ କାୟମ ରଖି ପାରିବକି? ଦେଶରେ ଆମେରିକାର ସାମରିକ ଭୂମିକାର ପୁନର୍ମୂଲ୍ୟାଙ୍କନ ପାଇଁ ଦାବି ଯେତିକି ବଢୁଛି ସେଥିରେ ମ୍ୟାକ୍ ଗ୍ରେଗରଙ୍କ ଚେତାବନୀ ପ୍ରଥମରୁ ଉଷ୍ମ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିବାର କାମ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.