ଭାରତୀୟଙ୍କୁ ଭିସା ପାଇଁ ୮୦୦ ଦିନର ଅପେକ୍ଷା, ରୁଷ ଠାରୁ ଏସ-୪୦୦ କିଣିବାର ପ୍ରତିଶୋଧ ନେଉଛି ଆମେରିକା ?  ଜାଣନ୍ତୁ ସବୁକିଛି...

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ: ଆମେରିକା ଯିବାର ସ୍ୱପ୍ନ ରଖିଥିବା ହଜାର ହଜାର ଭାରତୀୟ ଏବେ ଚିନ୍ତିତ । ଭାରତୀୟଙ୍କୁ ଭିସା ଇଣ୍ଟରଭ୍ୟୁ ପାଇଁ ଆମେରିକା ଦୂତାବାସ ୮୦୦ ଦିନ ଯାଏଁ ଅପେକ୍ଷା କରାଉଛି । ଫଳରେ ସେମାନଙ୍କ ଆମେରିକା ଯିବା ପ୍ରାୟତଃ ଅସମ୍ଭବ ହୋଇପଡୁଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ମାମଲାକୁ ଆମେରିକାର ବିଦେଶ ମନ୍ତ୍ରୀଙ୍କ ସାମନାରେ ଉଠାଇଛନ୍ତି । କିନ୍ତୁ ଏହାର ସନ୍ତୋଷଜନକ ସମାଧାନ ମିଳିପାରି ନାହିଁ । ବିଶେଷଜ୍ଞଙ୍କ ଅନୁସାରେ, ହଜାର ହଜାର ଭାରତୀୟଙ୍କ ଭିସା ଅଟକାଇ ରୁଷ ଠାରୁ ଏସ-୪୦୦ ମିଶାଇଲ ପ୍ରତିରକ୍ଷା ପ୍ରଣାଳୀ କିଣିବା ନେଇ ଭାରତ ଠାରୁ ପ୍ରତିଶୋଧ ନେଉଛି । ଏହା ଆମେରିକା ଦ୍ୱାରା ଭାରତ ଉପରେ ଗୁପ୍ତ ଭାବେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ବୋଲି ଦାବି କରାଯାଉଛି । ଆମେରିକାର ଉପବିଦେଶ ମନ୍ତ୍ରୀ ଭିକ୍ଟୋରିଆ ନୁଲ୍ୟାଣ୍ଡ ଏହା ପଛରେ ଥିବା ଅନୁମାନ କରାଯାଉଛି ।

ଅନ୍ତରାଷ୍ଟ୍ରୀୟ ମାମଲାର ବିଶେଷଜ୍ଞ ପ୍ରଫେସର ଏମଡି ନଲପତଙ୍କ ଦ ସଣ୍ଡେ ଗାର୍ଡିୟନରେ ପ୍ରକାଶିତ ଏକ ଆଲେଖ୍ୟ ଅନୁସାରେ, ଆମେରିକାର ଘୋର ବିରୋଧୀ ଚୀନରେ କୌଣସି ବ୍ୟକ୍ତିଙ୍କୁ ମାତ୍ର ଦୁଇ ଦିନରେ ଭିସା ସାକ୍ଷତକାର ପାଇଁ ସମୟ ଦିଆଯାଉଛି । କିନ୍ତୁ ଭାରତରେ ଦୁଇ ବର୍ଷରୁ ଅଧିକର ୱେଟିଂ ପିରିୟଡ୍ ଦିଆଯାଉଛି । ଆମେରିକା ଦାବି, କୋଭିଡ ସମୟରେ ଦୂତାବାସର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଥିଲା । ଏହି କାରଣରୁ ଭିସା ଇଣ୍ଟରଭ୍ୟୁ ଡେଟ୍ ମିଳିବାରେ ବିଳମ୍ୱ ହେଉଛି । ନଲପତ କହିଛନ୍ତି, ଭିସା ବିଳମ୍ୱ କରାଇବା ଷଡଯନ୍ତ୍ର ପଛରେ ଭିକ୍ଟୋରିଆ ନୁଲ୍ୟାଙ୍କ ହାତ ରହିଛି ।

ନଲପତ କହିଛନ୍ତି, ଭିକ୍ଟୋବର ନୁଲ୍ୟାଣ୍ଡ ଚଳିତ ବର୍ଷ ଆରମ୍ଭରେ ନୂଆଦିଲ୍ଲୀ ଯାତ୍ରା କରିଥିଲେ ଏବଂ ରୁଷ ଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ ନକିଣିବାକୁ କହିଥିଲେ। ତେବେ ଆମେରିକାର ଉପବିଦେଶ ମନ୍ତ୍ରୀଙ୍କ ଏହି ଦାବିକୁ ନୂଆଦିଲ୍ଲୀ ଖଣ୍ଡନ କରିଥିଲା। ରିପୋର୍ଟ ଅନୁସାରେ ଭାରତର ଏହି ପଦକ୍ଷେପ ପରେ ରୁଷ ବିରୋଧୀ ଅଭିଯାନରେ ସକ୍ରିୟ ଥିବା ଭିକ୍ଟୋରିଆ ନୁଲ୍ୟାଣ୍ଡ ଅସନ୍ତୁଷ୍ଟ ଥିଲେ । ପ୍ରଫେସର ନଲପତ କହିଛନ୍ତି, ଯଦି ଆମେରିକା ବିଦେଶ ମନ୍ତ୍ରୀ ଭିସା ନ ଦିଆଯିବା ଉପରେ ଯାଞ୍ଚ କରନ୍ତି ତେବେ ଏହି ରାକେଟରେ ସାମିଲ ଲୋକଙ୍କ ଭୂମିକା ସାର୍ବଜନୀନ ହୋଇପାରିବ ।

ପ୍ରଫେସର ନଲପତ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ନାଗରିକଙ୍କ ଯାତ୍ରା ଏବେ ପ୍ରାୟତଃ ଅସମ୍ଭବ ହେବାରେ ଲାଗିଛି । ସେ କହିଛନ୍ତି, ଭାରତୀଙ୍କୁ ଭିସା ନଦେବା ନେଇ ଆମେରିକାର ଏହି ନୀତି, ନୂଆଦିଲ୍ଲୀକୁ ଏସ-୪୦୦ ଏବଂ ୟୁକ୍ରେନ ସ୍ଥିତି ଉପରେ ଆମେରିକାର ଆଭିମୁଖ୍ୟକୁ ନମାନିବାର ସାମୁହିକ ଦଣ୍ଡ ।

ଭାରତୀୟ ବିଶେଷଜ୍ଞ କହିଛନ୍ତି, ଏଣ୍ଟନି ବ୍ଲିଙ୍କେନଙ୍କ ମନ୍ତ୍ରଣାଳୟ ଅତି ଗୋପନୀୟ ଭାବେ ଜାଣିଶୁଣି ଏହି ଭିସା ବ୍ୟାନ ଲଗାଇଛି । ଆମେରିକାର ନିର୍ଦ୍ଦେଶରେ ଜାପାନ ଏବଂ ଦକ୍ଷିଣ କୋରିଆ ଚାଲୁଥିବାରୁ ସେମାନଙ୍କୁ କୌଣସି ଅସୁବିଧା ହେଉ ନାହିଁ, କିନ୍ତୁ ଭାରତୀୟ ପାଇଁ ଅସୁବିଧା ସୃଷ୍ଟି କରାଯାଉଛି । ଏହା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁସ୍ ଇରାକ ବିରୋଧରେ ଏହି ପରି ଅମାନବୀୟ ପ୍ରତିବନ୍ଧକ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.