ଆମେରିକାକୁ ଚୀନର ନାଲିଆଖି, କହିଲା ତାଇବାନ ମାମଲାରେ ଦୂରେଇ ରୁହ
30/01/2023 at 10:15 PM

ନୂଆଦିଲ୍ଲୀ: ତାଇବାନ ମାମଲାରେ ଚୀନ୍ ଆମେରିକାକୁ ନାଲି ଆଖି ଦେଖାଇଛି । ଆବଶ୍ୟକ ପଡ଼ିଲେ ସେନା କାର୍ଯ୍ୟାନୁଷ୍ଠାନ ନେବାକୁ ପଛକୁ ହଠିବ ନାହିଁ ବୋଲି ଡ୍ରାଗନ ଚେତାବନୀ ଦେଇଛି । ଚୀନ୍ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ‘ଓ୍ବାନ ଚାଇନା ପଲିସି’କୁ ଗମ୍ଭୀରତା ସହିତ ନେବାକୁ ଆମେରିକାକୁ ଅପିଲ୍ କରିଛି । ଏହା ସହିତ ଦୁଇ ଦେଶ ମଧ୍ୟରେ ଜାରି ହୋଇଥିବା ବୟାନକୁ ସ୍ବିକାର କରିବାକୁ କହିଛନ୍ତି । ଗତ କିଛି ଦିନ ତଳେ ଆମେରିକା ଏୟାର ଫୋର୍ସର ସିନିୟର ଜେନେରାଲ ଦାବି କରିଥିଲେ କି, ୨୦୨୫ରେ US ଓ ଚୀନ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ । ଏହି ଯୁଦ୍ଧ ତାଇବାନକୁ ନେଇ ହୋଇପାରେ ବୋଲି ସେ କହିଛନ୍ତି ।
ଆମେରିକା ଅଧିକାରୀଙ୍କ ଏହି ବୟାନ ପରେ କଡ଼ା ପ୍ରତିକ୍ରିୟା ରଖିଛି ଚୀନ । ଚୀନ୍ ବିଦେଶ ମନ୍ତ୍ରଣଳାୟ ପ୍ରବକ୍ତା ମାଓ ନିଙ୍ଗ୍ କହିଛନ୍ତି, ନୂଆ ବିବାଦ ପାଇଁ ୨ଟି କାରଣ ରହିଛି । ପ୍ରଥମଟି ହେଉଛି, ତାଇବାନର ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି ଆମେରିକା ଉପରେ ନିର୍ଭର କରୁଛି । ଦ୍ବିତୀୟ କାରଣ, ୟୁଏସର କିଛି ଲୋକ ଚୀନକୁ କବଜା କରିବା ପାଇଁ ତାଇବାନକୁ ବ୍ୟବହାର କରୁଛନ୍ତି । ଆମେରିକା ତାଇବାନ ମାମଲାରେ ବିରତ ରହିବା ଦରକାର ଏହା ସହିତ ସୈନ୍ୟ ସାହାର୍ଯ୍ୟ ଉପରେ ମଧ୍ୟ ରୋକ୍ ଲଗାଇବାକୁ ମାଓ ନିଙ୍ଗ୍ କହିଛନ୍ତି ।
ତାଇବାନ୍ ଚୀନ୍ର ଅଭିନ୍ନ ଅଙ୍ଗ ବୋଲି ଚୀନ୍ ଅଧିକାରୀ ଦୋହରାଇଛନ୍ତି । ଡ୍ରାଗନ ଶାନ୍ତିପୂର୍ବକ ଏହାକୁ ଅଧିଗ୍ରହଣ କରିବାକୁ ଚାହୁଁଛି । ଚୀନ୍ ସରକାର ଏଭଳି କୌଣସି ପ୍ରତିଶ୍ରୁତବଦ୍ଧ ହୋଇନାହାନ୍ତି ତାଇନବାନରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ । ତାଇବାନ ଏକକୀକରଣ ପାଇଁ ଚୀନ୍ ପାଖରେ ଏଭଳି ପଦକ୍ଷେପ ଉଠାଇବା ପାଇଁ ଅଧିକାର ରହିଛି । ଆମେରିକା ନିଜ ସହଯୋଗୀ ଦେଶମାନଙ୍କୁ ଚୀନକୁ ବହିଷ୍କାର କରିବାକୁ ଚାପ ପକାଉଛି । ଆମେରିକା ନିଜ ସ୍ବାର୍ଥ ହାସଲ ପାଇଁ ଏପରି କରୁଛି ବୋଲି ମାଓ ନିଙ୍ଗ୍ କହିଛନ୍ତି ।
ଆମେରିକା ଏବଂ ଚୀନ୍ ମଧ୍ୟରେ ଗତ କିଛି ବର୍ଷ ହେଲା ତିକ୍ତତା ଲାଗି ରହିଛି । ଉଭୟ ଦେଶ ତାଇବାନ ଏବଂ ଚାଇନା ସମୁଦ୍ର ସମେତ କିଛି ମୁଦ୍ଦାକୁ ନେଇ ଜଣେ ଅନ୍ୟର ବିଚାରଧାରା ବିରୋଧରେ ରହିଛନ୍ତି ।