US First ladyଙ୍କ ପରିଧାନ ପାଲଟିଛି ଆକର୍ଷଣର କେନ୍ଦ୍ର, କମରପଟିରେ ରହିଛି ଭାରତୀୟତାର ଋଚି
24/02/2020 at 9:01 PM

ଆମେରିକା ରାଷ୍ଟ୍ରପତି ପରିବାର ଏବେ ଭାରତ ଗସ୍ତରେ ଅଛନ୍ତି। ଅହମ୍ମଦାବାଦ ବିମାନବନ୍ଦରରେ ଟ୍ରମ୍ପ ଦମ୍ପତ୍ତିଙ୍କ ଅବତରଣ ପରେ ଯାହା ସବୁଠୁ ଆକର୍ଷଣର କେନ୍ଦ୍ର ରହିଛି ତାହା ହେଉଛି ଆମେରିକୀୟ ରାଷ୍ଟ୍ରପତି ଦମ୍ପତ୍ତିଙ୍କ ପରିଧାନ। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ଲୁ ସୁଟ୍ରେ ୟେଲୋ ଟାଇ ପରିଧାନ କରିଥିବା ବେଳେ ଫାଷ୍ଟ ଲେଡି ହ୍ୱାଇଟ୍ ଜମ୍ପସୁଟ୍ରେ ଗ୍ରୀନ କମର ପଟି ପିନ୍ଧିଥିବା ଦେଖାଯାଇଛି।

ଆମେରିକା ଫାଷ୍ଟ ଲେଡିଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଲାଗି ଏପରି ପୋଷାକର ପରିକଳ୍ପନା କରିଛନ୍ତି ପ୍ରଶିଦ୍ଧ ଆମେରିକୀୟ ଫ୍ୟାସନ ଡିଜାଇନର ହର୍ବେ ପିୟରେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରୁ ଆରମ୍ଭ କରି ତାଜ ପରିଦର୍ଶନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦମ୍ପତ୍ତିଙ୍କ ପୋଷାକରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ତେବେ ମେଲେନିଆ ଟ୍ରମ୍ପଙ୍କ ପୋଷାକରେ କମରବନ୍ଧ ହିଁ ଏବେ ପାଲଟିଛି ଚର୍ଚ୍ଚାର ବିଷୟ।

ତେବେ ଫ୍ୟାସନ ଡିଜାଇନର ହାର୍ବେ ପିୟର ନିଜେ ଏହି କମରବନ୍ଧର ସ୍ୱତନ୍ତ୍ରତା ସମ୍ପର୍କରେ ଜଣାଇବା ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ତେବେ ବିବିଧତାର ଦେଶ ଭାରତର ସଂସ୍କୃତି ଅନୁକରଣରେ ସେ ଏପରି କମର ବନ୍ଧର ପରିକଳ୍ପନା କରିଥିଲେ। ଯେଉଁଥିରେ ବିଂଶ ଶତାବ୍ଦୀର ଷ୍ଟାଇଲ ସାଙ୍ଗକୁ ମୋଗଲ କାଳୀନ ଶୈଳୀ ବି ରହିଛି। ଯାହା ଦେଶର ପ୍ରାଚୀନ କଳାକୃତିରେ ଦୃଷ୍ଟିଗୋଚର ହୋଇଥାଏ।

ଏହି କମରବନ୍ଧକୁ ବ୍ରୋକେଟ୍ ଫେବ୍ରିକରେ ପ୍ରସ୍ତୁତ କରାଯାଇଥିବା ବେଳେ ସବୁଜ ରଙ୍ଗର ରେଶମ କପଡାରେ ଡିଜାଇନ କରାଯାଇଛି। ଏଥିରେ ଥିବା ତାରକସୀହିଁ ଏବେ ଫ୍ୟାସନ ଜଗତରେ ଚର୍ଚ୍ଚିତ କରିଛି ମେଲେନିଆଁଙ୍କୁ । ଯେଉଁଥିରେ ସେ ଭାରତୀୟଙ୍କ ପ୍ରତି ତାଙ୍କର ଥିବା ସମ୍ମାନକୁ ପ୍ରଦର୍ଶିତ କରିବା ଲାଗି ଭାରତୀୟତାକୁ ତାଙ୍କ ପରିଧାନରେ ବି ଧରି ରଖିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ଅନେକ ଆମେରିକୀୟ ରାଷ୍ଟ୍ରପତି ଦମ୍ପତ୍ତି ଭାରତ ଗସ୍ତରେ ଆସିଛନ୍ତି। ତେବେ ଟ୍ରମ୍ଫ ଓ ମେଲେନିଆଙ୍କ ଗସ୍ତ ଭାରତ ଓ ଆମେରିକା ସମ୍ପର୍କରେ ନୂଆ ଅଧ୍ୟୟା ସୃଷ୍ଟି କରିଛି।