ଆମେରିକାର CRS ରିପୋର୍ଟରେ ବଡ ଖୁଲାସା: ପାକିସ୍ତାନରେ ଅଛି ୧୨ଟି ଆତଙ୍କବାଦୀ ସଂଗଠନ, ୫ଟିର ଟାର୍ଗେଟରେ 'ଭାରତ'

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯ : ଆତଙ୍କବାଦ ଉପରେ ଆମେରିକାର ସ୍ୱତନ୍ତ୍ର କଂଗ୍ରେସନଲ ରିସର୍ଚ୍ଚ ସର୍ଭିସ (CRS) ରିପୋର୍ଟରେ ପାକିସ୍ତାନକୁ ନେଇ ବଡ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ୧୨ ଟି ବର୍ବର ଆତଙ୍କବାଦୀ ସଂଗଠନ ଅଛନ୍ତି। ସେଥିରୁ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ଭାରତ ରହିଛି। ସିଆରଏସ ରିପୋର୍ଟରେ କହିଛି ଯେ ଆମେରିକାର ଅଧିକାରୀମାନେ ପାକିସ୍ତାନକୁ ଅନେକ ସଶସ୍ତ୍ର ତଥା ଅଣ-ରାଜ୍ୟ ଆତଙ୍କବାଦୀ ସଂଗଠନ ପାଇଁ ଏକ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରିଛନ୍ତି ଯେଉଁଠାରୁ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି।

ଗତ ସପ୍ତାହରେ କ୍ୱାଡ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରେସର ଦ୍ୱିପାକ୍ଷିକ ଅନୁସନ୍ଧାନ ୱିଙ୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏହି ଗୋଷ୍ଠୀକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ। ଏଥିମଧ୍ୟରେ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ସଂଗଠନ, ଆଫଗାନ କେନ୍ଦ୍ରିତ, ଭାରତ ଏବଂ କାଶ୍ମୀର କେନ୍ଦ୍ରିତ, ଘରୋଇ ବ୍ୟାପାରରେ ଯାଏଁ ସୀମିତ ରହୁଥିବା ସଂଗଠନ ଏବଂ ସଂସ୍କୃତି ଭିତ୍ତିକ (ଶିଆ ବିରୁଦ୍ଧରେ) ଆତଙ୍କବାଦୀ ସଂଗଠନ ଅନ୍ତର୍ଭୁକ୍ତ। CRS ରିପୋର୍ଟରେ ଦର୍ଶାଯାଇଛି ଯେ ଏଥିମଧ୍ୟରୁ କିଛି ଆତଙ୍କବାଦୀ ସଂଗଠନ ୧୯୮୦ ଦଶକରୁ ବିଦ୍ୟମାନ ଅଛନ୍ତି।

ଲଶ୍କର-ଏ-ତୋଇବା ୧୯୮୦ ଦଶକରେ ପାକିସ୍ତାନରେ ଗଠନ ହୋଇଥିଲା। ୨୦୦୧ରେ ଏହାକୁ ବିଦେଶ ଆତଙ୍କୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା। ୨୦୦୮ ରେ ମୁମ୍ବାଇ ଆତଙ୍କବାଦୀ ହମଲା ସହ ଅନେକ ହାଇପ୍ରୋଫାଇଲ ହମଲା ପାଇଁ ଲଶ୍କର-ଏ-ତୋଇବା ନିଜକୁ ଦାୟୀ କରାଯାଇଛି।

ରିପୋର୍ଟ ଅନୁସାରେ ୨୦୦୦ ମସିହାରେ ଆତଙ୍କବାଦୀ ନେତା ମସୁଦ ଅଜହର ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଗଠନ କରିଥିଲା। ୨୦୦୧ ରେ ଏହାକୁ ମଧ୍ୟ ବିଦେଶୀ ଆତଙ୍କୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା। ଲଶ୍କର-ଏ-ତୋଇବା ସହ ଜୈଶ ମଧ୍ୟ ୨୦୦୧ ରେ ଭାରତୀୟ ସଂସଦରେ ହମଲା ସହ ଅନ୍ୟ ହମଲା ପାଇଁ ପାଇଁ ଦାୟୀ।

୧୯୮୯ ରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଗଠନ ହୋଇଥିଲା ଯାହା ପାକିସ୍ତାନର ସବୁଠାରୁ ବଡ ଇସ୍ଲାମୀ ପାର୍ଟିର ଆତଙ୍କବାଦୀ ଶାଖା ଏବଂ ୨୦୧୭ରେ ଏହାକୁ ଏଫଟିଓ ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନରେ ସାମିଲ ସବୁଠାରୁ ପୁରୁଣା ଆତଙ୍କୀ ସଂଗଠନ। ସିଆରଏସ ଅନୁଯାୟୀ ପାକିସ୍ତାନରୁ ନିଜର କାର୍ଯ୍ୟକଳାପ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟରେ ଅଲ-କାଏଦା ମଧ୍ୟ ସାମିଲ ଅଛି ଯାହା ମୁଖ୍ୟାତଃଅ କରାଚୀ ଓ ଆଫଗାନିସ୍ତାନରେ କାର୍ଯ୍ୟ କରେ।

CRS କହିଛି ଯେ ଆତଙ୍କବାଦ ଉପରେ ଆମେରିକୀୟ ବିଦେଶ ବିଭାଗର ରିପୋର୍ଟ ଅନୁଯାୟୀ 'କଣ୍ଟ୍ରି ରିପୋର୍ଟ ଅନ ଟେରରିଜମ ୨୦୧୯' ଅନୁଯାୟୀ, ପାକିସ୍ତାନ କେତେକ ଅଞ୍ଚଳକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି ଏବଂ ଆଫଗାନିସ୍ତାନ ସହ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କୀ ସଂଗଠନକୁ ନିଜ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି। ବିଭାଗ ଆହୁରି ମଧ୍ୟ କହିଛି ଯେ, ଆତଙ୍କବାଦର ଆର୍ଟିକ ସହାୟତା ରୋକିବାକୁ ଓ ଜାମ୍ମୁ କାଶ୍ମୀରରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ହମଲା ପୂର୍ବରୁ ଭାରତ କେନ୍ଦ୍ରିତ କିଛି ଆତଙ୍କବାଦୀ ସଂଗଠନ ଉପରେ ଲଗାମ କଷିବାକୁ ପାକିସ୍ତାନ ସରକାର ମାମୁଲି ପଦକ୍ଷେପ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.