ଭାରତୀୟ ଛାତ୍ରୀଙ୍କୁ ଗାଡ଼ି ଚଢ଼ାଇଦେଲେ ଆମେରିକୀୟ ପୋଲିସ୍‌ ଅଧିକାରୀ; ତଦନ୍ତକାରୀ ଅଫିସର୍ କହିଲେ- ’ତା ଜୀବନର ମୂଲ୍ୟ କେତେ ଥିଲା ?’

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ: ଭାରତୀୟ ଯୁବତୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ପୋଲିସ୍‌ ଅଧିକାରୀ । ଆଉ ଘଟଣା ତଦନ୍ତ କରୁଥିବା ଅଧିକାରୀ କହି​ଲେ ‘ତା ଜୀବନର ମୂଲ୍ୟ ଏମିତି କେତେ ଥିଲା ?’ ଖାଲି ସେତିକି ନୁହେଁ ଘଟଣାକୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇବା ସମୟରେ ଉଭୟ ପରସ୍ପର ଥଟ୍ଟା ପରିହାସ କରୁଥିବାର ମଧ୍ୟ ଦେଖାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି ଆମେରିକାରୁ । ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ପରେ ଦୁଇ ପୋଲିସ୍‌ କର୍ମୀ ଥଟ୍ଟା କରୁଥିବାର ଦେଖାଯାଇଛି ।

ମାମଲା ଆମେରିକାର ସିଆଟେଲର। ଏଠାରେ ଗତ ଜାନୁଆରୀରେ ପୋଲିସ୍‌ ଗାଡ଼ି ଧକ୍କାରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସିଆଟେଲ ପୋଲିସ୍‌ର ଏକ ଏସପିଡି କାର୍‌ ଧକ୍କା​‌ ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଏହି କାର୍‌କୁ କେଭିନ୍‌ ଡେଭ୍‌ ନାମକ ଜଣେ ପୋଲିସ୍‌ ଅଧିକାରୀ ଚଳାଉଥିଲେ। କୁହାଯାଇଥିଲା ଯେ, କେଭିନ୍‌ ୭୦ରୁ ଅଧିକ ସ୍ପିଡ୍‌ରେ ଗାଡ଼ି ଚଳାଉଥିଲେ ଏବଂ ଫୋନ୍‌ରେ କଥା ହେବା ସମୟରେ ଯୁବତୀଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ।

ଆହୁରି ପଢ଼ନ୍ତୁ: ଲାଡେନକୁ ହତ୍ୟା କରିଥିବା ନେଇ ଦାବି କରୁଥିବା ଆମେରିକାର ପୂର୍ବତନ ନୌସେନା ଅଧିକାରୀ ଗିରଫ !

ତେବେ ଘଟଣାର ତଦନ୍ତ ପାଇଁ ସିଆଟେଲ ପୋଲିସ ଅଫିସର ଗିଲ୍ଡର ଉପାଧ୍ୟକ୍ଷ ଡାନିଏଲ ଆଣ୍ଡରର ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆଉ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ କଥା ହେଉଥିଲେ । ଏହି କଥାବାର୍ତ୍ତା ସମୟରେ ସେ ହସୁଥିବାର ଦେଖାଯାଇଛି । ସତେ ଯେପରି ଏହା ଏକ ସାଧାରଣ କଥା। ଆଣ୍ଡରର ଉପରିସ୍ଥ ଅଧିକାରୀଙ୍କୁ କହିଥିଲେ ‘‘ ଯୁବତୀ ୨୬ ବର୍ଷର, ଏମିତିରେ ବି ତା’ ଜୀବନର  ମୂଲ୍ୟ କେବଳ ଏତିକି ଥିଲା। ସେ ଜଣେ ସାଧାରଣ ଲୋକ। ବାସ୍‌ ଗୋଟିଏ ଚେକ୍‌ ଦେଇଦେଲେ ଚଳିବ।’’ ଏସମୟର ଦୃଶ୍ୟ ସେହି ଆଣ୍ଡରର ବଡି କ୍ୟାମରାରେ ରେକର୍ଡ ହୋଇଥିଲା। ଆଉ ଏବେ ଭିଡିଓ ସାମ୍‌ନାକୁ ଆସିଛି। ଭିଡିଓ ଆଧାରରେ ତଦନ୍ତକାରୀ ସଂସ୍ଥା ଯାଞ୍ଚ ଜାରି ରଖିଛି।

ମୃତକଙ୍କ ପରିଚୟ ଆନ୍ଧ୍ର ପ୍ରଦେଶର ଜାହ୍ନବୀ କଣ୍ଡୁଲା ବୋଲି ଜଣାପଡ଼ିଛି। ନର୍ଥ ଇଷ୍ଟର୍ଣ୍ଣ ୟୁନିଭର୍ସିଟିର ଛାତ୍ରୀ କଣ୍ଡୁଲା, ଡେକ୍ସଟର ଆଭେନ୍ୟୁ ନର୍ଥ ଏବଂ ଥମାସ ଷ୍ଟ୍ରିଟ୍‌ ନିକଟରେ ଯାଉଥିବା ସମୟରେ ଧକ୍କା ହୋଇଥିଲେ। ତେବେ ମୁଖ୍ୟ ଆଡରିଆନ ଡିଆଜ କହିଛନ୍ତି ଏହି ଭିଡି ଆଣ୍ଡରରଙ୍କର ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.