ଅପରେସନ ଜଓ୍ୱାହିରୀ : ହେଲଫାୟାର ମିସାଇଲରେ ନିପାତ ହେଲା ଅଲକାଏଦା ମୁଖିଆ, ଏମିତି ଥିଲା ପୁରା ଯୋଜନା...

Published By : Prameya-News7 Bureau | August 02, 2022 IST

ନୂଆଦିଲ୍ଲୀ ୦୨/୦୮:  ଅଲକାଏଦାର ମୁଖିଆ ଅଲ୍ ଜଓ୍ୱାହିରୀ ଆମେରିକାର ଡ୍ରୋନ୍ ଆକ୍ରମଣରେ ନିପାତ ହୋଇଛି । ସେ ଆଫଗାନିସ୍ତାନର କାବୁଲରେ ଲୁଚିଥିଲା । ଏଠାରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।  

ସେ କହିଛନ୍ତି ଯେ, ଜଓ୍ୱାହିରୀ ୯-୧୧ ଆକ୍ରମଣରେ ସାମିଲ ଥିଲା । ଏହି ଆକ୍ରମଣରେ ୨୯୭୭ ଜଣ ପ୍ରାଣ ହରାଇଥିଲେ । ତା ଉପରେ ୨୫ ମିଲିୟନ ଡଲାରର ପୁରସ୍କାର ରାଶି ଥିଲା ।

କେଉଁଠି ଲୁଚିଥିଲା ଜଓ୍ୱାହିରୀ

ସେ କାବୁଲର ଏକ ଘରେ ଲୁଚି ଥିଲା । ଆମେରିକା ଅଧିକାରୀଙ୍କ କହିବାନୁସାରେ, ତାଲିବାନ ସରକାର ଅଲ ଜଓ୍ୱାହିରୀ ଲୁଚିଥିବା ନେଇ ଖବର ଦେଇଥିଲା । ଯେଉଁଠି ସେ ଲୁଚିଥିଲା ସେଠାରେ ତାଲିବାନ ନେତା ସିରାଜୁଦ୍ଦୀନ ହକ୍କାନୀର ଘର ବି ଥିଲା । ଆମେରିକା ଦୂତାବାସ ବିଲ୍ଡିଂ ପାଖରୁ ମଧ୍ୟ ଘରର ଦୂରତା ବେଶି ନଥିଲା ।

କିପରି କରାଗଲା ଯୋଜନା

ସିଏନଏନର ରିପୋର୍ଟ ଅନୁସାରେ, ବାଇଡେନ୍ ଜଓ୍ୱାହିରୀକୁ ନିପାତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୋଟିଏ ଡ୍ରୋନରେ ତାକୁ ନିପାତ କରାଯାଇଥିଲା । କିନ୍ତୁ ଏଥିପାଇଁ ଗୁପ୍ତ ବୈଠକ ଓ ବଡ ଯୋଜନା ହୋଇଥିଲା । ଅନେକ ମାସ ଧରି ଆମେରିକାର ଗୁଇନ୍ଦା ସଂସ୍ଥା ଏହା ଉପରେ କାର୍ଯ୍ୟ କରୁଥିଲା । ଜଓ୍ୱାହିରୀ ଯେଉଁଠି ଲୁଚିଥିଲା ସେହି ଘରର ମଡେଲ ପ୍ରସ୍ତୁତ ହୋଇଥିଲା । ଶେଷରେ ଶନିବାର ଡ୍ରୋନ୍ ଷ୍ଟ୍ରାଇକ୍ ନେଇ ସିଆଇଏ ନିଷ୍ପତ୍ତି ନେଇଥିଲା । ବାଇଡେନ୍ ଏଥିରେ ଯେପରି କୌଣସି ସାଧାରଣ ନାଗରିକ ଆହତ ହେବେନି ସେନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆକ୍ରମଣ ପୂର୍ବରୁ ଜଓ୍ୱାହିରୀର ପତ୍ନୀ, ଝିଅ ଓ ପରିବାରକୁ ଚିହ୍ନଟ କରାଯାଇଥିଲା । ଆମେରିକା ଅଧିକାରୀ ଲଗାତର ଭାବେ ତା ଗତବିଧି ଉପରେ ନଜର ରଖିଥିଲେ । କିଛି ଦିନ ସେ ଘରୁ ବାହାରି ନଥିଲା । ଫଳରେ ମିଶନ ବିପଦରେ ପଡିଥିଲା । ଆମେରିକୀୟ ଅଧିକାରୀ ଏପରି ଯୋଜନା ପ୍ରସ୍ତୁତ କରିଥିଲେ ଯେପରି କୌଣସି ଘର କିମ୍ବା ବିଲ୍ଡିକୁ କ୍ଷତି ହେବ ନାହିଁ । ସହର ମଧ୍ୟରେ ତା ଘର ଥିବାରୁ ଆମେରିକା ସାମ୍ନାରେ ଅନେକ ଚ୍ୟାଲେଞ୍ଜ୍ ବି ଥିଲା ।

ଶେଷରେ ଶନିବାର ହେଲଫାୟାର ମିସାଇଲ ମାଡ କରିଥିଲା ଆମେରିକା । ମିସାଇଲରେ ତା ଘରର ବାଲକୋନୀକୁ ଟାର୍ଗେଟ୍ କରାଯାଇଥିଲା । ଏଥିରେ ତାର ମୃତ୍ୟୁ ହୋଇଥିବା ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା ।ତେବେ ତା ପରିବାରକୁ କୌଣସି କ୍ଷତି ପହଁଚି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.