ଦିଲ୍ଲୀ ପରେ ସୁରଟରୁ ଆସିଲା ଛାତିଥରା ଭିଡିଓ, ଝିଅକୁ ୨୫ଥର ଛୁରାମାଡ କଲା ବାପା, ପତ୍ନୀଙ୍କୁ ମଧ୍ୟ ଛାଡିଲାନି
31/05/2023 at 12:40 PM

ସୁରଟ ୩୧।୦୫: ବହୁଚର୍ଚ୍ଚିତ ଦିଲ୍ଲୀର ଶାହାବାଦ ହତ୍ୟାକାଣ୍ଡର ଭିଡିଓ ଭାଇରାଲ ହେବା ପରେ ଏବେ ସୁରଟରୁ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ତାର ୧୯ ବର୍ଷର ଝିଅକୁ ହତ୍ୟା କରୁଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଗୁଜୁରାଟ ସୁରଟର ଏହି ଘଟଣା ମେ ୧୮ରେ ଘଟିଥିଲା । ବ୍ୟକ୍ତି ଜଣକ ତାଙ୍କ ଝିଅକୁ ଅତି କମରେ ୨୫ ଥର ଛୁରୀ ଭୁସି ହତ୍ୟା କରିଥିଲା । ଏହାବ୍ୟତୀତ ତାଙ୍କ ପତ୍ନୀଙ୍କୁ ୧୦ ଥର ଛୁରାମାଡ କରିଛନ୍ତି । ଏହି ଘଟଣା ପାରିବାରିକ କଳହକୁ ନେଇ ହୋଇଥିଲା ।
ଅଭିଯୁକ୍ତଙ୍କ ନାମ ରାମାନୁଜ ସାହୁ । ସେ ତାଙ୍କ ପରିବାର ସହ ସୁରଟର ସତ୍ୟ ନଗର ସୋସାଇଟିରେ ଏକ ଭଡା ଘରେ ରହୁଥିଲେ । ରିପୋର୍ଟ ଅନୁଯୀୟୀ, ଝିଅ ରାତିରେ ଛାତ ଉପରେ ଶୋଇବାକୁ ନେଇ ରାମାନୁଜା ଏବଂ ତାଙ୍କ ପତ୍ନୀ ରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ରାତି ପ୍ରାୟ ୧୧.୩୦ରେ ଜଣେ ବ୍ୟକ୍ତି ତାଙ୍କ ପିଲାମାନଙ୍କ ସାମ୍ନାରେ ତାଙ୍କ ପତ୍ନୀଙ୍କୁ ଛୁରୀରେ ଆକ୍ରମଣ କରୁଛି । ଏଥିରେ ମହିଳା ଜଣକ ଆହତ ହୋଇଥିଲେ ।
You Can Read:
ଆଉ ତାଙ୍କ ପିଲାମାନେ ମା’ଙ୍କୁ ବଞ୍ଚାଇବା ଚେଷ୍ଟା କରିବା ବେଳେ ବ୍ୟକ୍ତି ଜଣକ ରାଗରେ ନିଜ ଝିଅକୁ ଧରି ନିର୍ଦ୍ଦୟ ଭାବରେ ଛୁରାମାଡ଼ କରିବାକୁ ଲାଗିଲେ । ଆଉ ଥରେ କି ୨ଥର ନୁହେଁ, ୨୫ଥର ଛୁରିରେ କରିଥିଲେ ଆକ୍ରମଣ । ଆଉ ସେଠାରେ ହିଁ ଝିଅର ମୃତ୍ୟୁ ହୋଇଥିଲା । ଏତିକିରେ ଅଟକି ନଥିଲେ ରାମାନୁଜ । ସେ ଉପର ମହଲାକୁ ଯାଇ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ୧୦ ଥର ଛୁରାମାଡ କରିବା ସହ ତାଙ୍କର ୨ଟି ଆଙ୍ଗୁଳି କାଟି ଦେଇଛନ୍ତି । ପୋଲିସ ରାମାନୁଜଙ୍କୁ ଗିରଫ କରିଥିଲା। ଏଥିସହିତ ରେଖା ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।