ଭୁବନେଶ୍ୱର ୨୫।୦୯: ପ୍ରକାଶ ପାଇଛି ୨୦୨୦ ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ଏଥିରେ ଶୁଭମ କୁମାର ଟପ୍ପର ହୋଇଛନ୍ତି। ଆଇ.ଆଇ.ଟି. ବମ୍ବେରୁ ବିଇ ପାସ କରିଥିବା ଶୁଭମ ଆଇ.ଏ.ଏସ. ଟପ୍ପର ହୋଇଛନ୍ତି। ଜାଗ୍ରତୀ ଅବସ୍ତୀ ମହିଳାଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ସେ ମଧ୍ଯ ଓଭର ଅଲ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଙ୍କିତା ଜୈନ ତୃତୀୟ ସ୍ଥାନରେ ରହିଛନ୍ତି। ଟପ୍ ୨୫ ଜଣଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୭୬୧ ଜଣଙ୍କ ନିଯୁକ୍ତିକୁ ଅନୁମୋଦନ ମିଳିଛି। ଏମାନଙ୍କ ମଧ୍ୟରେ ୫୪୫ ପୁରୁଷ ଏବଂ ୨୧୬ ମହିଳା ଅଛନ୍ତି।
ତେବେ ଓଡ଼ିଶାର ଜୁବିନ ମହାପାତ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ୪୬ ରାଙ୍କରେ ଅଛନ୍ତି । କମ୍ପୁଟର୍ ସାଇନସ୍ ରେ ଇଞ୍ଜିନିୟରିଂ ଏବଂ MBA କରିବା ପରେ ଜୁବିନ ମହାପାତ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ । ୨୦୧୮ରେ ୨୩୫ ରାଙ୍କ ଏବଂ ୨୦୧୯ରେ ୩୭୯ ରାଙ୍କ ରଖିଥିଲେ । ଏବେ ସେ ହାଇଦ୍ରାବାଦ IPS ଟ୍ରେନିଂ ଇନଷ୍ଟିଚ୍ୟୁଟରେ ତାଲିମ ନେଉଛନ୍ତି । ତେବେ ଏଥର ନିଜର ପ୍ରଚେଷ୍ଟା ଫଳରେ ସେ ୪୬ ରାଙ୍କ ହାସଲ କରିଛନ୍ତି ।
ସେହିପରି ଝାରସୁଗୁଡ଼ା ଝିଅ ରୀନା ପ୍ରଧାନଙ୍କୁ ମଧ୍ୟ ସଫଳତା ମିଳିଛି । ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ରୀନା ୧୯୪ ରାଙ୍କ ରଖିଛନ୍ତି । ପେଶାରେ ସେ ଜଣେ ଡାକ୍ତର । ୨୦୧୭ ରେ ରୀନା ଏମ.ବି.ବି.ଏସ. ପାସ କରିବା ପରେ ଡାକ୍ତରୀ ପେଷାରେ ଯୋଗଦେଇ ଥିଲେ । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ସାନମସି ଗାଁ ସି.ଏଚ.ସି.ରେ ସେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ୨ ଥର ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ । ତେବେ ୨୦୨୦ ବ୍ୟାଚ୍ ରେ ପୁଣି ପରୀକ୍ଷା ଦେଇ ସେ ସଫଳ ହୋଇଛନ୍ତି । ଅବସରପ୍ରାପ୍ତ ଅତିରିକ୍ତ ବିଡିଓ ଧରଣୀଧର ପ୍ରଧାନ ଓ କଲ୍ୟାଣୀ ପ୍ରଧାନଙ୍କ ବଡ଼ ଝିଅ ହେଉଛନ୍ତି ରୀନା ।
ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆଉ ଜଣେ ଓଡିଆଙ୍କ ମଧ୍ୟ ସଫଳତା ମିଳିଛି । ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା ୧୮୪ ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିଛନ୍ତି । ସେ ଆଇପିଏସ୍ ହେବାକୁ ଆଶାବାଦୀ ଅଛନ୍ତି ।