ନୂଆଦିଲ୍ଲୀ ୨୪/୦୯: ଚଳିତ ବର୍ଷ ହେବାକୁ ଥିବା ନ୍ୟାସନାଲ୍ ଡିଫେନ୍ସ ଆକାଡେମୀ (ଏନଡିଏ) ପରୀକ୍ଷା ପାଇଁ ଆବେଦନ କରିପାରିବେ ମହିଳା ଆଶାୟୀ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଶୁକ୍ରବାର ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସ୍ସି) ପକ୍ଷରୁ ଏନେଇ ଘୋଷଣା ହୋଇଛି । ଅବିବାହିତ ମହିଳା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୮ ଯାଏଁ upsconline.nic.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ। ମହିଳା ଆଶାୟୀଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
ତେବେ ମହିଳାମାନଙ୍କ ପାଇଁ ଭାକେନ୍ସି ଏବଂ ଶାରୀରିକ ଯୋଗ୍ୟତା ମାପଦଣ୍ଡ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଧାର୍ଯ୍ୟ ହେବା ପରେ ପ୍ରକାଶ ପାଇବ। ଏହା ପୂର୍ବରୁ ବୁଧବାର ସୁପ୍ରିମକୋର୍ଟ ଚଳିତ ବର୍ଷ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ସାମିଲ ନେଇ ଅନ୍ତରୀଣ ନିର୍ଦେଶକୁ ରଦ୍ଦ କରିବାକୁ ମନା କରିଦେଇଥିଲେ। ନଭେମ୍ବର ୧୪ ରେ ହେବାକୁ ଥିବା ପରୀକ୍ଷାରେ ମହିଳାମାନଙ୍କୁ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ କହିଥିଲେ।
ମହିଳାମାନଙ୍କୁ ସାମିଲ କରିବାକୁ ଅନେକ ମାପଦଣ୍ଡର ପରିବର୍ତ୍ତନର ଆବଶ୍ୟକତା ଥିବାରୁ ସେମାନଙ୍କୁ ପରୀକ୍ଷା ଦେବାର ଅନୁମତି ପାଇଁ ମେ ୨୦୨୨ ପର୍ଯ୍ୟନ୍ତ ସମୟ ମାଗିଥିଲେ କେନ୍ଦ୍ର ସରକାର। କିନ୍ତୁ ମହିଳାଙ୍କ ଆବେଦନ ଉପରେ କୌଣସି ପ୍ରକାର ରୋକ ଲାଗିପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ ସୁପ୍ରିମକୋର୍ଟ। ପ୍ରଥମ ଆବେଦନ-ପ୍ରଥମ ଆବଣ୍ଟନ ଭିତ୍ତିରେ ଆଶାୟୀଙ୍କୁ ପରୀକ୍ଷା କେନ୍ଦ୍ର ମିଳିବ ବୋଲି ୟୁପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏନଡିଏ-୨ର ଯୋଗ୍ୟତା, ଚୟନ ପ୍ରକ୍ରିୟା
ବୟସ ସୀମା- ଆଶୟୀଙ୍କ ଜନ୍ମ ୨ ଜାନୁଆରୀ ୨୦୦୩ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୬ ପରେ ହୋଇନଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ସ୍ଥଳ ସେନା- ମାନ୍ୟତା ପ୍ରାପ୍ତ ସ୍କୁଲ/ବୋର୍ଡରୁ ଦ୍ବାଦଶ ଶ୍ରେଣୀରେ ପାସ ହୋଇଥିବା ଦରକାର।
ନୌସେନା-ବାୟୁସେନା- ଦ୍ବାଦଶ ଶ୍ରେଣୀରେ ଫିଜିକ୍ସ ଏବଂ ମ୍ୟାଥ୍ରେ ପାସ କରିଥିବା ଆବଶ୍ୟକ ।
ଯେଉଁମାନେ ଏବେ ଦ୍ବାଦଶ ଶ୍ରେଣୀରେ ପଢ଼ୁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ। ଏସଏସବି ଇଣ୍ଟରଭ୍ୟୁ ସମୟରେ ସେମାନଙ୍କୁ ପାସ୍ ପ୍ରମାଣପତ୍ର ଦେଖାଇବାକୁ ହେବ।