IPL ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ: ସିଜେଆଇ କହିଲେ- ମାମଲାର ଶୁଣାଣି ହେବନି

Published By : Prameya-News7 Bureau | October 10, 2022 IST

ନୂଆଦିଲ୍ଲୀ: କୋଭିଡ୍ ସମୟରେ ଆଇପିଏଲ୍ ୨୦୨୧ ପ୍ରଭାବିତ ହୋଇଥିଲା। ଏହି ସଂସ୍କରଣ କିଛ ମ୍ୟାଚ୍ ଭାରତରେ କରାଯାଇଥିବା ବେଳେ ବାକି ମ୍ୟାଚ୍ ୟୁଏଇରେ କରାଯାଇଥିଲା। କାରଣ ଭାରତରେ ଖେଳାଯିବା ବେଳେ ଅନେକ ଖେଳାଳି କୋଭିଡ୍ ପଜିଟିଭ୍ ହୋଇଥିଲେ। ଭାରତରେ ଖେଳାଯାଇଥିବା ମୁକାବିଲାକୁ ନେଇ ଅନେକ ହୋହଲ୍ଲା ହୋଇଥିଲା। ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଏନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ବି କରାଯାଇଥିଲା। 

କୋର୍ଟରେ କରାଯାଇଥିବା ଆବେଦନରେ ୬ଟି ସହରରେ ଆଇପିଏଲ୍ ଖେଳ ବନ୍ଦ କରିବାକୁ ବିସିସିଆଇ ଓ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ସେହିପରି ଆଇପିଏଲ୍‌ ଆୟୋଜିତ କରି ଲୋକଙ୍କ ଜୀବନ ବିପଦରେ ପକାଇଥିବା ଯୋଗୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସେକ୍ରେଟେରୀ ଜୟ ଶାହଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ଆବେଦନ କରାଯାଇଥିଲା।

ଗତ ବର୍ଷ ଦାୟର ହୋଇଥିବା ଏହି ମାମଲାରେ ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ପୂରା ମାମଲା ଶୁଣିବା ପରେ ବିସିସିଆଇକୁ ଆଶ୍ୱସ୍ଥି ଦେଇ କୋର୍ଟ ଏହାର ପରବର୍ତ୍ତି ଶୁଣାଣି କରିବାକୁ ମନା କରିଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ କହିବା କଥା ହେଲା ବର୍ତ୍ତମାନ ସମୟରେ ଏହି ଆବଦେନର କୌଣସି ଔଚିତ୍ୟ ନାହିଁ।

ତା ଛଡ଼ା ଆଇପିଏଲ୍ ୨୦୨୧ରେ ଆୟୋଜନ ବାୟୋବବଲରେ କରାଯାଇଥିଲା। ଖେଳାଳିଙ୍କୁ ନେଇ ଅନେକ ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ଲଳିତ କହିଥିଲେ। ବର୍ତ୍ତମାନ କରୋନା ସମୟ ନାହିଁ କି କୌଣସି କଟକଣା ନାହିଁ ତେଣୁ ମାମଲା ଅପ୍ରାସଙ୍ଗିକ ମନେ ହେଉଛି ବୋଲି କୋର୍ଟଙ୍କ ବିଚାର ଥିଲା। ତେଣୁ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଖଣ୍ଡପୀଠ ମନା କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.