୨୦୨୬-୨୭ ସୁଦ୍ଧା ପ୍ରତିଦିନ ହେବ ୧ ବିଲିୟନ ଟ୍ରାଞ୍ଜାକ୍ସନ: PwC India ରିପୋର୍ଟ
28/05/2023 at 5:50 PM

ନୂଆଦିଲ୍ଲୀ, ୨୮/୦୫: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆସିବା ପରଠାରୁ ନେଣଦେଣ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ହୋଇଛି। ବିଶେଷ କରି ୟୁପିଆଇ ଦ୍ବାରା ନେଣଦେଣ ଅଧିକ ଆଦୃତ ହୋଇଛି। ୟୁପିଆଇ ଟ୍ରାଞ୍ଜାକ୍ସନ, ନୂଆ ରେକର୍ଡ ମଧ୍ୟ କରିବାରେ ଲାଗିଛି। ତେବେ ନିକଟରେ ୟୁପିଆଇକୁ ନେଇ ପିଡବ୍ଲୁସି ଇଣ୍ଡିଆ (PwC India) ଏକ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ ଅନୁମାନ କରାଯାଇଛି ଯେ, ୨୦୨୬-୨୭ ସୁଦ୍ଧା ପ୍ରତିଦିନ ଏକ ବିଲିୟନ ୟୁପିଆଇ ନେଣଦେଣ ହେବ। ଯାହା ସମୁଦାୟ ଡିଜିଟାଲ ପେମେଣ୍ଟର ୯୦ ପ୍ରତିଶତ ହେବ।

ପିଡବ୍ଲୁସିର ‘ଦ ଇଣ୍ଡିଆନ ପେମେଣ୍ଟ୍ସ ହ୍ୟାଣ୍ଡବୁକ୍- ୨୦୨୨-୨୭’ ରିପୋର୍ଟ ଅନୁଯାୟୀ, ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିପ୍ଳବ ଆଣିଥିବା ୟୁପିଆଇ ଦ୍ବାରା ଆର୍ଥିକ ବର୍ଷ ୨୦୨୨-୨୩ରେ ଖୁଚୁରା କ୍ଷେତ୍ରରେ ହୋଇଥିବା ନେଣଦେଣରେ ୭୫ ପ୍ରତିଶତ ଯୋଗଦାନ ରହିଛି। ରିପୋର୍ଟରେ କୁହାଯାଇଛି ଆଗାମୀ ପାଞ୍ଚ ବର୍ଷରେ ୟୁପିଆଇ ଦ୍ବାରାହିଁ କେବଳ ୯୦ ପ୍ରତିଶତ ରିଟେଲ ଡିଜିଟାଲ ପେମେଣ୍ଟ ହେବ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମାତ୍ରା ହିସାବରେ ଡିଜିଟାଲ ପେମେଣ୍ଟରେ ଭାରତର ଯୋଗଦାନ ବାର୍ଷିକ ୫୦ ପ୍ରତିଶତ ହାରରେ ବଢ଼ୁଛି। ଆର୍ଥିକ ବର୍ଷ ୨୦୨୨-୨୩ର ୧୦୩ ବିଲିୟନ ନେଣଦେଣ, ୨୦୨୬-୨୭ରେ ୪୧୧ ବିଲିୟନ ନେଣଦେଣରେ ପହଞ୍ଚିବା ନେଇ ଅନୁମାନ ରହିଛି। ଅର୍ଥାତ୍ ପ୍ରତିଦିନ ଏକ ବିଲିୟନ ନେଣଦେଣ ହେବ।
