ୟୁପି ପୋଲିସକୁ ଘାରିଛି ଲଭ୍ ଜିହାଦ ଭୂତ : ଗୁଜବକୁ ସତ ଭାବି ବାହାଘର ଅଟକାଇଲେ, ମୁସଲିମ ନବ ଦମ୍ପତ୍ତିଙ୍କୁ ରାତିସାରା ଥାନାରେ ରଖିଲେ, ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | December 11, 2020 IST

ଲକ୍ଷ୍ନୌ, ୧୧|୧୨:   ଉତ୍ତର ପ୍ରଦେଶରେ ଯୋଗୀ ସରକାର ଲଭ୍ ଜିହାଦ ବିରୋଧରେ ଆଇନ ଆଣିଛନ୍ତି । ଲଭ୍ ଜିହାଦ ନେଇ କୌଣସି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ କେତେକ ସ୍ଥାନରେ ଆଇନର ଅପବ୍ୟବହାର ହେଉଥିବା ସାମ୍ନାକୁ ଆସିଛି । ଏକ ଭୁଲ ସୂଚନା ପାଇ ୟୁପି ପୋଲିସ ବିବାହ ପାଇଁ ପହଁଚିବା ବରକୁ ମାଡ ମାରିବା ସହ ଥାନାରେ ଅଟକ ରଖିଛି ।

ସୂଚନାନୁସାରେ, କୁସୀନଗର ପୋଲିସକୁ ଏକ ଫୋନ୍ କଲ୍ ମିଳିଥିଲା । ଏଥିରେ ଦୁଇଟି ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାହ ହେଉଥିବା ସୂଚନା ଦିଆଯାଇଥିଲା । ଏପରିକି ବିବାହ ପାଇଁ ଜଣେ ହିନ୍ଦୁ ମହିଳା ଇସଲାମ୍ ଗ୍ରହଣ କରିବା କୁହାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ବର ହୋଇଥିବା ୩୯ ବର୍ଷୀୟ ହାଇଦର୍ ଅଲୀକୁ ଥାନାରେ ଅଟକ ରଖିବା ସହ ମାଡ ମାରିଥିବା କୁହାଯାଉଛି । କିନ୍ତୁ ହାଇଦରର ସମ୍ପର୍କୀୟ ଭାଇ ଥାନାକୁ ଆସି ଉଭୟ ଗୋଟିଏ ସମ୍ପ୍ରଦାୟର ବୋଲି ସ୍ପଷ୍ଟ କରିଥିଲେ । ଶେଷରେ ବୁଧବାର ଉଭୟଙ୍କ ବିବାହ ହୋଇଥିଲା ।

ଘଟଣାକୁ ନେଇ ହାଇଦର୍ କହିଛନ୍ତି ଯେ, ସେ ଓ ସବିଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ଭୋଜି ସମୟରେ ପୋଲିସ ଆସି ତାଙ୍କୁ ଉଠାଇ ନେଇଥିଲା । ମାଡ ମଧ୍ୟ ମାରିଥିଲା । କିଛି ନଶୁଣି ପୋଲିସ ସନ୍ଧ୍ୟା ୭ଟା ୩୦ରେ ତାଙ୍କୁ ହାଜତରେ ଭର୍ତ୍ତି କରିଥିଲା । ଏପରିକି ସବିଲାଙ୍କୁ ମଧ୍ୟ ପୋଲିସ ଥାନାକୁ ଆଣିଥିଲା । ଏହାପରେ ଉଭୟଙ୍କୁ ଅଲଗା କୋଠରୀରେ ରଖି ପୋଲିସ ବେଲଟରେ ମାଡ ମାରିଥିଲା । ଶେଷରେ ପୋଲିସ ସବିଲାଙ୍କ ପରିବାର ବର୍ଗକୁ ଖବର ଦେଇଥିଲା । ଏହାପରେ ଉଭୟ ମୁସଲିମ୍ ହୋଇଥିବା ଜାଣିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା ।

ତେବେ ଅଲି ରହୁଥିବା ଗ୍ରାମର ଜଣେ ଗ୍ରାମରକ୍ଷୀ ପୋଲିସକୁ ଡାକିଥିବା ସୂଚନା ମିଳିଛି । କାରଣ ତାଙ୍କୁ ଏପରି କରିବାକୁ କିଛି ଲୋକ ପ୍ରଭାବିତ କରିଥିଲେ ।

ଏହି ଘଟଣାକୁ ନେଇ ଥାନା ଅଧିକାରୀ ସଞ୍ଜୟ କୁମାର କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳରେ ପହଁଚି ବିବାହ ରୋକିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ପରେ ଉଭୟ ଗୋଟିଏ ସମ୍ପ୍ରାଦୟର ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ହାଇଦରଙ୍କୁ ମାଡ ମରାଯିବା ଘଟଣାକୁ ସେ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.