ଟଙ୍କା ଲୋଭ କରିଦେଲା ଅନ୍ଧ, ଭଡ଼ାଟିଆକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କେନାଲରେ ଫିଙ୍ଗିଦେଲା ଘର ମାଲିକ

Published By : Prameya-News7 Bureau | December 15, 2022 IST

ଗାଜିଆବାଦ, ୧୫/୧୨: ଟଙ୍କା ଲୋଭରେ ବଶବର୍ତ୍ତୀ ହୋଇ ହତ୍ୟା ଘଟଣା ଅନେକ ସମୟରେ ସାମ୍ନାକୁ ଆସିଛି। ଏବେ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି ୟୁପି ଗାଜିଆବାଦରୁ । ଏହି ହତ୍ୟାକାଣ୍ଡ ଦୁଇ ମାସ ଧରି ଚର୍ଚ୍ଚାର ବିଷୟ ରହିଥିଲା। ଶେଷରେ ବୁଧବାର ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଉମେଶ ଶର୍ମାକୁ ମୋଦୀନଗରରୁ ଗିରଫ କରିଛି।

ଯାହାପରେ ପୁରା ମାମଲା ଉପରୁ ପରଦା ଉଠିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଘଟଣା ଅନୁଯାୟୀ ଉମେଶ ନିଜ ଘରେ ଭଡ଼ାରେ ରହୁଥିବା ଜଣେ ଛାତ୍ର ଅଙ୍କିତ ଖୋକରଙ୍କୁ ହତ୍ୟା କରିଥିଲେ। ଖାଲି ସେତିକି ନୁହେଁ ଅଙ୍କିତ ଶରୀରକୁ ତିନି ଖଣ୍ଡ କରି କାଟି କେନାଲରେ ଫିଙ୍ଗି ଦେଇଥିଲେ।

ସୂଚନା ଅନୁଯାୟୀ,  ଅଙ୍କିତ ବାଗପଥ୍‌ରେ ଥିବା ନିଜର ପୈତୃକ ଭୂମି ୧ କୋଟିରେ  ବିକ୍ରି କରିଥିଲେ । ଆଉ ଏହି ଟଙ୍କା ଉପରେ ରହିଥିଲା ଉମେଶଙ୍କ ନଜର। ଆଉ ଏହି ଟଙ୍କା ପାଇବା ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲେ ଉମେଶ। ଏହି ମାମଲାରେ ଉମେଶଙ୍କ ଜଣେ ସାଙ୍ଗ ପରଭେଶଙ୍କୁ ମଧ୍ୟ ଗିରଫ କରାଯାଇଛି।

କିଛି ବର୍ଷ ପୂର୍ବେ ଅଙ୍କିତ ଖୋକରଙ୍କ ପରିବାର ଲୋକଙ୍କ ମୃତ୍ୟୁ ହୋଇଥିଲା ଯାହାପର ଠାରୁ ​‌ସେ ଏକାକୀ ରହି ଆସୁଥିଲେ। ଲକ୍ଷ୍ନୌରେ ଏକ ବିଶ୍ବବିଦ୍ୟାଳୟରେ ପିଏଚ.ଡି ପାଠ ପଢ଼ୁଥିଲେ। ତେବେ ଅଙ୍କିତ କିଛି ସପ୍ତାହ ଧରି ଫୋନ୍ ନଉଠାଇବା ତଥା ମେସେଜର ଜବାବ ନଦେବାରୁ ତାଙ୍କ ସାଙ୍ଗ ସନ୍ଦେହ କରିଥିଲେ ଏବଂ ଅଙ୍କିତଙ୍କୁ ଖୋଜିଥିଲେ। ତାଙ୍କୁ ସନ୍ଦେହ ହୋଇଥିଲା ଏବଂ ସେ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ତଦନ୍ତରୁ ଜଣା ପଡ଼ିଥିଲା ଯେ ଅକ୍ଟୋବର ୬ ରେ ଅଙ୍କିତଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ଅଙ୍କିତଙ୍କ ଶରୀରକୁ ଏକ କରତରେ ତିନି ଖଣ୍ଡ କରିଥିଲା ଏବଂ ଏହି ଖଣ୍ଡକୁ ଆଲୁମିନିୟମ ଫଏଲରେ ଭର୍ତ୍ତି କରିଥିଲା। ପରେ ସେ ସେହି ଖଣ୍ଡ ଶରୀରକୁ ମୁଜାଫରନଗର ଏବଂ ମସୁରୀରେ କେନାଲରେ ଫିଙ୍ଗିଥିଲା। ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇନାହିଁ।

ପୋଲିସର ସୂଚନା ଅନୁଯାୟୀ, ଉମେଶ ସେହି ଅଙ୍କିତଙ୍କ ଠାରୁ ୪୦ ଲକ୍ଷ ଋଣ ମଧ୍ୟ ଆଣିଥିଲେ। ଆହୁରି ପୁଣି ହତ୍ୟା ପରେ ଉମେଶ ମୃତ ଅଙ୍କିତଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ସହ ତାଙ୍କ ବନ୍ଧୁ ପରଭେଶଙ୍କୁ ମଧ୍ୟ ଟଙ୍କା ଉଠାଇବାକୁ କହିଥିଲେ ଏହା ସହ ତାଙ୍କୁ ଉତ୍ତରାଖଣ୍ଡ ଚାଳିଯିବାକୁ କହିଥିଲେ ଏବଂ ଅଙ୍କିତଙ୍କ ମୋବାଇଲ ନେଇଯିବାକୁ କହିଥିଲେ ଯେପରି ତଦନ୍ତ ଭ୍ରମିତ କରିହେବ ବୋଲି କହିଛନ୍ତି ଗାଜିଆବାଦ ଡିସିପି ଇରାଜ ରାଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.