ବହରାଇଚ ଆତଙ୍କ; ପ୍ରତିଶୋଧ ପାଇଁ ମଣିଷ ମାରୁଛି ଶିଆଳ, ନେଲାଣି ୮ ଜୀବନ, ୬ ମଣିଷଖିଆ ଶିଆଳଙ୍କୁ ଧରିଲା ବନ ବିଭାଗ

Published By : Prameya-News7 Bureau | September 05, 2024 IST

indiatoday

ବହରାଇଚ: ପ୍ରତିଶୋଧ ପାଇଁ ମଣିଷ ମାରୁଛି ଶିଆଳ। ଶିଶୁ ଓ ଶରୀରରେ ବଳ ନଥିବା ବୟସ୍କ ବ୍ୟକ୍ତିଙ୍କୁ ଜାଣିଶୁଣି ଟାର୍ଗେଟ୍ କରୁଛି। ରାତି ଅନ୍ଧାରରେ ଆସୁଛି, ବେକ କାମୁଡ଼ି ଧରୁଛି। ଉତ୍ତର ପ୍ରଦେଶ ବହରାଇଚ ଜିଲ୍ଲାରେ ଦେଖା ଦେଇଥିବା ଶିଆଳ ଆତଙ୍କର ନୂଆ ତଥ୍ୟ ସାମ୍ନାକୁ ଆସିଛି। ବନ ବିଭାଗ କହିଛି, ଶିଆଳ ଏବେ ମଣିଷ ଠାରୁ ପ୍ରତିଶୋଧ ନେଉଛି।

ପ୍ରତିଶୋଧର ନିଶା ଏମିତି ଚଢ଼ିଛି ଯେ ଗତ ଦେଢ ମାସରେ ୮ ଜଣଙ୍କୁ ମାରିସାରିଲାଣି ମଣିଷ ଖିଆ ଗଧିଆ। ମୃତ ୮ ମଧ୍ୟରୁ ୭ ଜଣ କେବଳ ଶିଶୁ। କେବଳ ସେତିକି ନୁହେଁ ଶିଆଳ ଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ୫୦ଟି ଗାଁରେ ହାଇ ଆଲର୍ଟ ଜାରି ହୋଇଛି। ସନ୍ଧ୍ୟା ହେଲା କ୍ଷଣି ବହରାଇଚ ଜିଲ୍ଲାର ସଡ଼କ ଶୁନଶାନ ହୋଇଯାଉଛି। ଶିଆଳ ଭୟରେ ଲୋକଙ୍କର ତାଟି କବାଟ ପଡ଼ିଯାଉଛି। ଯଦିବା କେହି ବାହାରକୁ ବାହାରୁଛନ୍ତି ହାତରେ ଖଣ୍ଡେ ବାଡ଼ି ନହେଲେ ଲୁହା ରଡ ଧରି ବାହାରୁଛନ୍ତି। ସେପଟେ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଓ ୟୁପି ପୁଲିସ ରାତିରେ ପହରା ଦେଉଛି। 

ତେବେ ପ୍ରଶ୍ନ ଉଠୁଛି ମଣିଷ ଉପରେ ଶିଆଳର କାହିଁକି ଏତେ ରାଗ? କାହିଁକି ଟାର୍ଗେଟ୍‌ରେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି? ଉତ୍ତର ପ୍ରଦେଶ ଫରେଷ୍ଟ କର୍ପୋରେସନ ମ୍ୟାନେଜର ସଞ୍ଜୟ ପାଠକ ଯାହା କହିଛନ୍ତି ତାହା ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ଚତୁର ବିଲୁଆ ଯେ ବାଘୁଣୀ ଠାରୁ ଭୟଙ୍କର ପ୍ରତିଶୋଧ ନେଇପାରେ ଏକଥା ଆପଣ କେବେ ଭାବି ନଥିବେ।
 ସଞ୍ଜୟ ପାଠକଙ୍କ କହିବା ଅନୁସାରେ ଶିଆଳମାନେ ପ୍ରତିଶୋଧ ନେବାକୁ ଏହି ଆକ୍ରମଣ କରୁଛନ୍ତି। ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି ଯଦି ଶିଆଳର ଘର ଓ ତାଙ୍କ ପିଲାମାନଙ୍କ ପ୍ରତି ବିପଦ ଆସେ ତେବେ ସେମାନେ ପ୍ରତିଶୋଧ ପରାୟଣ ହୋଇଯାଆନ୍ତି। ଫଳରେ ମଣିଷ ଉପରେ ରାଗ ସୁଝାନ୍ତି। ହେଲେ ବରାଇଚ୍‌ରେ ଶିଆଳ ଅଧିକାଂଶ ଶିଶୁମାନଙ୍କୁ ଆକ୍ରମଣ କରୁଛନ୍ତି। 

ଅନ୍ୟପଟେ ବହରାଇଚ୍‌ ଜିଲ୍ଲା ରାମପୁର ଗ୍ରାମବାସୀଙ୍କ କହିବା କଥା ହେଲା ସେମାନଙ୍କ ଘର ଠାରୁ ମାତ୍ର ଅଳ୍ପ ଦୂରରେ ଶିଆଳ ଗୁମ୍ଫା ରହିଛି। ପ୍ରବଳ ବର୍ଷା ଯୋଗୁ ଘାଘରା ନଦୀରେ ବନ୍ୟାପାଣି ଆସିବାରୁ ହୁଏତ ବନ୍ୟାପାଣି ଶିଆଳ ଗୁମ୍ଫାରେ ପଶିଛି ଓ ଶାବକମାନେ ମରି ଯାଇଛନ୍ତି। ଯାହାର ରାଗ ମାଆ ଶିଆଳ ମଣିଷ ଉପରେ ସୁଝାଉଛି। 
 ହେଲେ ଏକ୍ସପର୍ଟଙ୍କ କହୁଛନ୍ତି, ଶିଆଳ ଖୁବ୍‌ ଶାନ୍ତ ଓ ଡରକୁଳା ହୋଇଥାନ୍ତି। କିନ୍ତୁ ଏଠି ମଣିଷ ଉପରେ ଆକ୍ରମଣ କରିବା ତାଙ୍କୁ ବିସ୍ମିତ କରିଛି। ଶିଆଳ ଶାବକମାନେ କେଉଁଠି ନା କେଉଁଠି ମଣିଷ ଦ୍ୱାରା ଆଘାତ ପାଇଛନ୍ତି। ଫଳରେ ମାଆ ଶିଆଳ ମୁଣ୍ଡକୁ ପିତ ଚଢ଼ି ଯାଇଛି, ଆଉ ସେ ଏବେ ପ୍ରତିଶୋଧ ନେଉଛି ବୋଲି ଏକ୍ସପର୍ଟ କହିଛନ୍ତି। 

ତେବେ ମଣିଷ ଉପରେ ଶିଆଳ ଆକ୍ରମଣର ଏହି ଗୋଟିଏ କାରଣ ହୋଇ ନପାରେ। ବୈଜ୍ଞାନିକ ତଥା ପରିବେଶ ବିତ୍‌ ୟାଦବେନ୍ଦ୍ର ବିକ୍ରମ ସିଂହ ଝାଲା କହିଛନ୍ତି, ଶିଆଳ ବଡ଼ ଚତୁର। ସେ ମଣିଷକୁ ପୃଥିବୀର ସବୁଠାରୁ ବଡ଼ ଶିକାରୀ ବୋଲି ଭାବେ। ଆଉ ତା’ଠାରୁ ଦୂରେଇ ରହେ। ହେଲେ ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ ପାଖରେ ଦାନ୍ତ ନଥିବାରୁ ସେମାନେ କିଛି କରିପାରିବେନି ବୋଲି ଭାବି ଶିଆଳ ସେମାନଙ୍କ ଉପରେ ହିଁ ଆଟାକ୍ କରେ ବୋଲି ଝାଲା କହିଛନ୍ତି।   

ଏକ୍ସପର୍ଟଙ୍କ ଅନୁସାରେ, ବହରାଇଚ୍‌ରେ ମଣିଷର ବାସସ୍ଥାନ ଠାରୁ ଶିଆଳର ରହୁଥିବା ସ୍ଥାନ ଖୁବ୍ ପାଖରେ। ଏମିତିରେ ଚାରିଆଡ଼େ ଫସଲ ବି ଫଳିଛି। ଗହଳିଆ ଫସଲ ଭିତରେ ଲୁଚି ଯାଇ ଶିଆଳ କେବଳ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରମଣ କରୁଛନ୍ତି। ଏଥିସହିତ ବହରାଇଚର ଅଧିକାଂଶ ଲୋକେ ଗରିବୀରେ ସଢ଼ୁଛନ୍ତି। କାହାରି ଘରେ କବାଟ ଲାଗି ନାହିଁ। ଏମିତିରେ ବାପା ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କୁ ଘରେ ଛାଡ଼ି କାମକୁ ଚାଲି ଯାଉଛନ୍ତି। ଆଉ ଏହାର ସୁବିଧା ନେଇ ଶିଆଳ ଆଟାକ୍ କରୁଛି। ଏଥିସହିତ ଖାଦ୍ୟଅଭାବ, ଜଙ୍ଗଲ ପରିବେଶ ନଷ୍ଟ ହେବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ପରିବେଶବିତ କହିଛନ୍ତି। 

ତେବେ ଉତ୍ତର ପ୍ରଦେଶରେ ଏଭଳି ଶିଆଳ ଆତଙ୍କର କାହାଣୀ ନୂଆ ନୁହେଁ। ୧୯୯୬ ମସିହା ପ୍ରତାପଗଡ଼ରେ ବି ଏମିତି ମାତିଥିଲେ ମଣିଷଖିଆ ଶିଆଳ। ସେତେବେଳେ ଆକ୍ରମଣର ଶିକାର ହୋଇଥିଲେ ୧୦ ଶିଶୁ। ଘଟଣାର ତଦନ୍ତ ପରେ ଜଣାପଡ଼ିଥିଲା ଯେ କିଛି କୃଷକ ଶିଆଳ ଗୁମ୍ଫାରେ ଫଶି ତାଙ୍କ ଘର ନଷ୍ଟ କରିବା ସହ ଛୁଆ ଶିଆଳଗୁଡ଼ିକୁ ମାରିଦେଇଥିଲେ। ଯାହାର ପରିଣାମ ସ୍ୱରୁପ ଏଭଳି ଆକ୍ରମଣ ହୋଇଥିଲା। 

ତେବେ ବର୍ତ୍ତମାନ ସୁଦ୍ଧା ୬ ମଣିଷଖିଆ ଶିଆଳଙ୍କୁ ଧରିବାରେ ସକ୍ଷମ ହୋଇଛି। ଶିଆଳ ଧରିବାକୁ ୟୁପି ସରକାର ୧୦ ଜଣିଆ ଟିମ୍ ଗଠନ କରିଛନ୍ତି। ଶିଆଳ ଧରିବାକୁ ଫାଇନାଲ ଅପରେସନ ଆରମ୍ଭ ହୋଇଯାଇଛି। ଯଦି ଶିଆଳଙ୍କୁ ଟ୍ରାଙ୍କୁଲାଇଜ କରାଯାଇ ନପାରୁଛି ତାଙ୍କୁ ଗୁଳି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଅରୁଣ ସକ୍‌ସେନା କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.