ଚଳନ୍ତା ଟ୍ରେନ୍‌ରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଲୋକ ପାଇଲଟ୍‌ଙ୍କ ମୃତ୍ୟୁ; ଅନ୍ୟ ଚାଳକ ଆସିବା ପର୍ଯ୍ୟନ୍ତ ଅଟକିଲା ଟ୍ରେନ୍‌

Published By : Prameya-News7 Bureau | June 24, 2022 IST

ଲକ୍ଷ୍ନୌ ୨୪/୦୬ : ଉତ୍ତରପ୍ରଦେଶର ପ୍ରତାପଗଡ଼ରୁ କାନପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ୍‌ର ଲୋକୋ-ପାଇଲଟ (ଟ୍ରେନ୍‌ ଚାଲକ)ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ରେଳ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଗୌରିଗଞ୍ଜ ରେଳ ଷ୍ଟେସନ୍‌ର ଅଧିକ୍ଷକ ପ୍ରବୀଣ ସିଂହ ଶୁକ୍ରବାର କହିଛନ୍ତି ପ୍ରତାପଗଡ଼ ଜିଲ୍ଲାର   ପର୍ଶୁରାମପୁରର ଚିଲାବିଲା ବାସିନ୍ଦା ଲୋକୋ ପାଇଲଟ୍‌ ହରିଶ୍ଚନ୍ଦ୍ର ଶର୍ମା ଶୁକ୍ରବାର ସକାଳେ ଇଣ୍ଟରସିଟି ଟ୍ରେନ୍‌ ନେଇ କାନପୁର ଯାଉଥିଲେ। ହଠାତ ଫୁର୍ସତଗଞ୍ଜ ଥାନା ଅଞ୍ଚଳର କାଶିମପୁର ହଲ୍ଟ ପାଖରେ ତାଙ୍କ ଦେହ ଖରାପ ହୋଇଥିଲା।     

ସେ କହିଛନ୍ତି ତାଙ୍କ ଦେହ ଖରାପ ହେବାରୁ ଟ୍ରେନ୍‌କୁ ଅଟକାଇ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ଆମ୍ୱୁଲାନ୍ସକୁ ଡାକିଲେ। ଏହାପରେ ତାଙ୍କୁ ପାଖରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ତାଙ୍କୁ ଡକ୍ତର ମୃତ ଘୋଷଣା କରିଥିଲେ। ହୃଦଘାତ କାରଣରୁ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତରମାନେ ଅନୁମାନ କରିଛନ୍ତି।

ଏହି କାରଣରୁ ଟ୍ରେନ୍‌ଟି କାଶିମ୍‌ପୁର ହଲ୍ଟ ପାଖରେ ବହୁତ ସମୟ ଠିଆ ହୋଇଥିଲା।

ପରେ ଅନ୍ୟ ଜଣେ ଲୋକୋ ପାଇଲଟ୍‌ ଆସି ଟ୍ରେନ୍‌କୁ ତାର ଲକ୍ଷ ସ୍ଥଳକୁ ନେଇଥିଲେ। ଫୁରସତଗଞ୍ଜ ଥାନାଧିକାରୀ ମନୋଜ କୁମାର ସୋନକର କହିଛନ୍ତି ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅନ୍ୟ ଆଇନଗତ ପ୍ରକ୍ରିୟା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.