ନମାଜ ପାଇଁ ବସ୍ ଅଟକାଇ ଥିଲେ ହିନ୍ଦୁ କଣ୍ଡକ୍ଟର, ଶେଷରେ ଆତ୍ମହତ୍ୟା କରିବାକୁ ପଡ଼ିଲା

Published By : Prameya-News7 Bureau | August 30, 2023 IST

ନୂଆଦିଲ୍ଲୀ: ଜୀବନ ଦେଇ ଯେ ମାନବିକତାର ମୂଲ୍ୟ ଦେବାକୁ ପଡ଼ିବ ଏକଥା ଜାଣି ନଥିଲେ ବସ୍ କଣ୍ଡକ୍ଟର ମୋହିତ ଯାଦବ। ସହଯୋଗ ବଦଳରେ ଚାକିରି ଗଲା, ଜୀବନ ବି ଗଲା। ଏବେ ଭଗବାନ ଭରସାରେ ୮ ପ୍ରାଣୀ କୁଟୁମ୍ଭ।

ଉତ୍ତର ପ୍ରଦେଶ ସରକାରଙ୍କ ପରିବହନ ସେବାରେ ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିବା ମୋହିତ ଯାଦବ କିଛି ଯାତ୍ରୀଙ୍କ ନମାଜ ପାଠ ପାଇଁ ବସ୍‌କୁ କିଛି ସମୟ ଅଟକାଇ ଥିଲେ। ବାସ୍ ଏତିକି କଥାରେ ତାଙ୍କ ଚାକିରି ଚାଲିଯାଇଥିଲା। ଆଉ ଯେତେ ଚେଷ୍ଟା କଲେ ଚାକିରି ମିଳିଲାନି। ଅଭାବ ଅନଟନରେ ପରିବାର ପ୍ରତିପୋଷଣ ନ କରିପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ମୋହିତ ଯାଦବ। ପରିବାର ଲୋକେ କହିଛନ୍ତି ଜୀବନ ଦେଇ ମାନବିକତାର ମୂଲ୍ୟ ଦେବାକୁ ପଡ଼ିଛି।

ଜୁନ ମାସରେ ମୋହିତଙ୍କୁ ଚାକିରିରୁ ବିଦା କରାଯାଇଥିଲା। ବରେଲିରୁ-ଦିଲ୍ଲୀ ଯାଉଥିବା ଜନରଥ ବସ୍‌କୁ ସେ ନମାଜ ପାଠ ପାଇଁ କିଛି ସମୟ ପାଇଁ ଅଟକାଇଥିଲେ। ଚାକିରି ନ ମିଳିବାରୁ ଗତ ସୋମବାର ସେ ଆତ୍ମହତ୍ୟା କରିଛନ୍ତି। ମୈନପୁର ଟ୍ରେନ୍‌ ଲାଇନ୍‌କୁ ଡେଇଁ ଜୀବନ ହାରିଛନ୍ତି ବୋଲି ପୁଲିସ କହିଛି।

ପଢ଼ନ୍ତୁ-ବସ୍ ଝରକା ବାହାରୁ ମୁହଁ ଖୋଲି କରୁଥିଲେ ବାନ୍ତି, ଦୁଇ ଗାଡ଼ି ମଝିରେ ଚାପି ହୋଇ ଫାଟିଲା ମୁଣ୍ଡ ଖପୁରୀ, ମହିଳାଙ୍କ ମୃତ୍ୟୁ

ସୂଚନା ଅନୁସାରେ, ମୋହିତ ତାଙ୍କ ପରିବାରରେ ସବୁଠାରୁ ବଡ଼। ମାତ୍ର ୧୭ ହଜାର ମାସିକ ଦରମାରେ ସେ ୮ ପ୍ରାଣୀ କୁଟୁମ୍ଭ ପୋଷନ୍ତି। ମୋହିତଙ୍କ ଚାକିରି ଚାଲିଯିବା ପରେ ସେ ଅନେକ ଜାଗାରେ ଚାକିରି ପାଇଁ ଚେଷ୍ଟା କରିଥିଲେ। ବାରମ୍ବାର ୟୁପି ପରିବହନ ସେବାର ବରେଲି ମ୍ୟାନେଜରଙ୍କୁ ନେହୁରା ହୋଇଥିଲେ। ହେଲେ ମ୍ୟାନେଜର୍‌ ଆଦୌ ଶୁଣି ନଥିଲେ ବୋଲି ମୋହିତଙ୍କ ପତ୍ନୀ ରିଙ୍କି ଯାଦବ ଅଭିଯୋଗ କରିଛନ୍ତି। ୟୁପି ପରିବହନ ବିଭାଗ ତାଙ୍କ ସ୍ୱାମୀଙ୍କର ଗୁହାରୀ ଶୁଣି ନଥିଲେ ବୋଲି ଅଭିଯୋଗ କରିଛନ୍ତି ରିଙ୍କି।

ସେ କହିଛନ୍ତି “ ତାଙ୍କ କଥା ନ ଶୁଣି ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଏହି ଚାପରେ ରହି ସେ ଆତ୍ମହତ୍ୟା କରିଛନ୍ତି। ମୋ ସ୍ୱାମୀଙ୍କୁ ଜୀବନ ଦେଇ ମଣିଷପଣିଆର ମୂଲ୍ୟ ଦେବାକୁ ପଡ଼ିଛି।”

ସେଦିନ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମୋହିତ ବସ୍‌ରେ ବସିଥିବା କିଛି ହିନ୍ଦୁ ଭାଇଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ମୋହିତ କହୁଛନ୍ତି “ଆମେମାନେ ବି ହିନ୍ଦୁ। ହିନ୍ଦୁ ଓ ମୁସ୍‌ଲମି ମଧ୍ୟରେ କୌଣସି ସମସ୍ୟା ନାହିଁ। ଆମେ ଦୁଇ ମିନିଟ ବସ୍‌ ଅଟକାଇ ଦେଲେ କ’ଣ ହେବ ?”

ପଢ଼ନ୍ତୁ-ଖାନ୍‌ ସାର୍‌ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ୭ ହଜାର ଛାତ୍ରୀ, କହିଲେ- ଏହା ନୂଆ ବିଶ୍ୱ ରେକର୍ଡ

ବସ୍‌ରେ ବସିଥିବା ଜଣେ ଯାତ୍ରୀ ଏହି ଭିଡିଓଟିକୁ ଶୁଟ୍ କରିଥିଲେ। ଯାହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାର ତୁରନ୍ତ ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟକର ମୋହିତ ଯାଦବଙ୍କ ଚାକିରି ଚାଲିଯାଇଥିଲା।

ଏହି ଘଟଣାକୁ ଆପଣ ମଣିଷପଣିଆ ନା ଧର୍ମାନ୍ଧତା, କେଉଁ ନଜରରେ ଦେଖିବେ ସେ କଥା ଆପଣ ଜାଣନ୍ତି।, ହେଲେ ଏଥିପାଇଁ ଯେଉଁ ଜୀବନଟି ଚାଲିଗଲା ତାହା ଆଉ ଫେରିବନି। ୮ ପ୍ରାଣୀ କୁଟୁମ୍ଭ ଏବେ କାହା ଭରସାରେ ରହିବେ ଭଗବାନ ଜାଣନ୍ତି। ଟିକେ ଭାବିଲେ… ଜୀବନ ପରେ ଆଉ କିଛି ଥାଏ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.