ପଶ୍ଚିମବଙ୍ଗ ଭଳି ରୋମାଞ୍ଚକ ହେବ UP ବିଧାନସଭା ନିର୍ବାଚନ, ଯୋଗୀଙ୍କୁ ମୁହାଁମୁହିଁ ଟକ୍କର ଦେଉଛନ୍ତି ସପା ନେତା ଅଖିଳେଶ ଯାଦବ

Published By : Prameya-News7 Bureau | January 09, 2022 IST

ଲକ୍ଷ୍ନୌ ୯।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଶନିବାର ତାରିଖ ଘୋଷଣା କରିଛନ୍ତି। ଏଥର ରାଜ୍ୟରେ ବିଧାନସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ୧୦ ଫେବୃଆରୀରୁ ଆରମ୍ଭ ହୋଇ ୭ ମାର୍ଚ୍ଚରେ ଶେଷ ହେବ। ମାର୍ଚ୍ଚ ୧୦ ତାରିଖ ଦିନ ଭୋଟ ଗଣନା ସହ ନିର୍ବାଚନ ଫଳାଫଳ ଘୋଷଣା ହେବ। ତେବେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ସଭାସମିତି ଓ ରୋଡ ସୋ ଆଦି ଉପରେ କଟକଣା ଜାରି କରିଛନ୍ତି। ଯାହା ପରେ ସମୀକ୍ଷା ହେବ।

ତେବେ କରୋନା କାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନ ଲାଗି ରାଜନୈତିକ ଦଳମାନେ ଅଣ୍ଟାଭିଡିସାରିଲେଣି। ଶାସକ ବିଜେପିକୁ ବିରୋଧୀ ସମାଜବାଦୀ ପାର୍ଟି ରାଜ୍ୟରେ ଟକ୍କର ଦେଉଛି। ଏଣୁ ପରସ୍ପରର ମୁକାବିଲା ଲାଗି ଉଭୟ ଦଳ ଜାତି ଆଧାରିତ କ୍ଷୁଦ୍ର ଦଳଙ୍କ ସହ ମେଣ୍ଟ କରିସାରିଲେଣି। ରାଜ୍ୟରେ ବିଜେପି ଓ ସପା ବ୍ୟତୀତ ବସପା ଓ କଂଗ୍ରେସ ମଧ୍ୟ ନିର୍ବାଚନ ମୈଦାନରେ ଅଛନ୍ତି। ତେବେ ପ୍ରିତଦ୍ୱନ୍ଦ୍ୱୀତା ମୁଖ୍ୟତଃ ବିଜେପି ଓ ସପା ମଧ୍ୟରେ ହେଉଥିବା ଦେଖା ଯାଉଛି।

{"id":571928,"sizeSlug":"full","linkDestination":"none"}

ଏଥର ନିର୍ବାଚନରେ କଂଗ୍ରେସ ଓ ମାୟାବତୀଙ୍କ ବସପା କୌଣସି ରାଜନୈତିକ ଦଳ ସହ ମେଣ୍ଟ କରି ନାହାନ୍ତି। ସେମାନେ ଏଥର ଏକାଏକା ନିର୍ବାଚନ ଲଢୁଛନ୍ତି। ତେବେ ବିଜେପି ଏଥର ଜାତି ଆଧାରିତ ମେଣ୍ଟ ମାଧ୍ୟମରେ ନିଜର ଜନାଧାର କାୟମ ରଖିବାକୁ ରଣନୀତି ପ୍ରସ୍ତୁତ କରିଛି। ଏଥିଲାଗି ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ କରିସାରିଛି। ହେଲେ ସପା ନେତା ଅଖିଳେଶ ଯାଦବ ମଧ୍ୟ ଛାଡିବାର ନୁହନ୍ତି। ସପା ମଧ୍ୟ ଜାତି କାର୍ଡ ଖେଳିବାକୁ ପ୍ରସ୍ତୁତ ହେଉଛି। ଏଥିରେ ପଶ୍ଚିମ ଉତ୍ତରପ୍ରଦେଶରେ ସପା ପ୍ରାୟ ୩୬ଟି ଆସନ ରାଷ୍ଟ୍ରୀୟ ଲୋକଦଳକୁ ଛାଡିଦେଇପାରେ।

ସେହିପରି ମଧ୍ୟ ଓ ବୁନ୍ଦେଲଖଣ୍ଡରେ ସପା ନିଜେ ଲଢିବାକୁ ପ୍ରସ୍ତୁତ ରହିଥିବା ବେଳେ ମଣ୍ଡଲ ଦଲ ଓ ଜନାବାଦୀ ପାର୍ଟିକୁ ସପା ନିଜ ନିର୍ବାଚନ ଚିହ୍ନରେ ଲଢିବାକୁ ଦେଇପାରେ। ଏଥିରେ ଏବେ ଶିବପାଲ ଯାଦବ ପୁଣି ସପାକୁ ସମର୍ଥନ ଦେଇଥିବା ବେଳେ ତାଙ୍କ ଦଳର ପ୍ରାର୍ଥୀଙ୍କ ଲାଗି ମଧ୍ୟ ସପା କିଛି ଆସନ ଛାଡିବାକୁ ପ୍ରସ୍ତୁତ ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରୁ ଉତ୍ତରପ୍ରଦେଶରେ ଏବେ ବିଜେପି ଓ ସପାଙ୍କ ଲଢେଇ ୫୦-୫୦ରେ ହେବାକୁ ଯାଉଥିବା ଜଣାପଡିଲାଣି। ଏଥିରୁ ଯାହାର ପଲା ଭାରି ହେବ ଆଗାମୀ ସରକାର ସେହି ଦଳର ହେବ ବୋଲି କୁହାଯାଉଛି।

{"id":571927,"sizeSlug":"full","linkDestination":"none"}

ନିର୍ବାଚନ କମିଶନ କେବଳ ଉତ୍ତରପ୍ରଦେଶ ନୁହେଁ ସାଙ୍ଗକୁ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ଲାଗି ମଧ୍ୟ ତାରିଖ ଘୋଷଣା କରିଛନ୍ତି। ତେବେ ଏଥିରେ ବିଜେପିର ସମସ୍ତ ଧ୍ୟାନ ଏବେ ଉତ୍ତରପ୍ରଦେଶ ଉପରେ କେନ୍ଦ୍ରିତ ହୋଇଛି। ଯୋଗୀ ତାଙ୍କ ୫ ବର୍ଷର ସରକାରଙ୍କ ଉପଲବ୍ଧି ଏବେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ତତ୍ପର ହୋଇଉଠିଥିବା ବେଳେ ଗଣମାଧ୍ୟମରେ ବିଜ୍ଞାପନର ବନ୍ୟା ଆସିଛି।

ସେପଟେ ନିର୍ବାଚନରେ ବିଜେପି ଏବେ ରୁଟି ଅଥବା ରାମ କାହାକୁ ଆଗରେ ରଖିବ ସେ ନେଇ ଦ୍ୱିବିଧାରେ ପଡିଛି। କରୋନା ଓ ମୂଲ୍ୟବୃଦ୍ଧି ଉଭୟ ଲୋକଙ୍କୁ ଗୁରୁତର ପ୍ରଭାବିତ କରିଛି। ଲୋକେ ରୋଜଗାର ହରାଇଥିବା ବେଳେ ମୂଲ୍ୟ ବୃଦ୍ଧିରେ ରୋଜଗାର ପରିବାରର ପେଟ ପୁରେଇ ପାରୁନି। ଏଥିରେ ରାମଙ୍କୁ ଆଗକୁ କଲେ ଲୋକଙ୍କ ପେଟ ପୁରିବନି ନିଶ୍ଚିତ। ହେଲେ ରୁଟି ପାଇଁ ସରକାରଙ୍କ ତରବରିଆ ଯୋଜନାର ସୁଫଳ ଲୋକଙ୍କୁ ମିଳିବନି ଏଥିରୁ ନିର୍ବାଚନରେ ଦଳୀୟ ରଣନୀତି କଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.