ଦୁଇ ମିନିଟ୍ ମ୍ୟାଗି: କିଛି ଜଣା ଓ କିଛି ଅଜଣା କଥା
3/05/2020 at 6:29 PM

ସତ୍ୟନାରାୟଣ ମହାପାତ୍ର
ଭାରତର ଯେ କୌଣସି ସହରରେ ଯେ କୌଣସି ତେଜରାତି ଦୋକାନରେ ନୁଡଲ୍ସ ମାଗିଲେ ଆପଣଙ୍କ ହାତରେ ଦୋକାନୀ ମ୍ୟାଗି ନୁଡୁଲ୍ସର ପ୍ୟାକେଟ୍ ଟିଏ ଧରାଇ ଦେବା ନିଶ୍ଚିତ। ଭାରତରେ କୌଣସି ମାଙ୍କୁ ଯଦି ପଚରା ଯାଏ ସବୁଠୁ ଶୀଘ୍ର ପ୍ରସ୍ତୁତ ହୋଇପାରୁଥିବା ଜଳଖିଆଟି କ’ଣ? ସେ ଉତ୍ତର ଦେବାକୁ ସମୟବି ନେବେନି ଓ ମ୍ୟାଗି ନାଁ ହିଁ ନେବେ। ଭାରତରେ ଏପରି କୌଣସି ହଷ୍ଟେଲ ଅଥବା ବୋର୍ଡିଂ ନାହିଁ ଯେଉଁଠି ମ୍ୟାଗି ପରସା ନ ଯାଏ । ବାସ୍ ଗରମ ପାଣିରେ ପକାଇଲେ ହିଁ ପ୍ରସ୍ତୁତ ହୋଇପାରୁଥିବା ସୁସ୍ୱାଦୁ ଖାଦ୍ୟଟି ହିଁ ହେଉଛି ମ୍ୟାଗି ।

ମ୍ୟାଗି ଯେମିତି ସୁସ୍ୱାଦୁ ତାର ସୃଷ୍ଟିର କାହାଣୀ ମଧ୍ୟ ସେମିତି ରୋଚକ। ୨ ମିନିଟ୍ ମ୍ୟାଗି ପ୍ରବାସୀ ସ୍ୱିଜରଲ୍ୟାଣ୍ଡ ଉଦ୍ୟୋଗୀ ଜୁଲିୟସ ମାଇକେଲ ଜୋହାନ୍ସ ମ୍ୟାଗିଙ୍କ ମସ୍ତିଷ୍କ ଉପଜ, ଅର୍ଥାତ୍ ପ୍ରସ୍ତୁତ । ୧୮୬୦ ମସିହାରେ ବଜାରକୁ ଏପରି ଖାଦ୍ୟର ବିଶାଳ ବର୍ଗମାଳା ଆଣିଥିଲେ ମ୍ୟାଗି । ଯାହାକୁ ସ୍ୱିସ୍ ସରକାରଙ୍କ ପୃଷ୍ଠପୋଷକତାବି ମିଳିଥିଲା। ହେଲେ ସେତେବେଳେ ସେ ଜାଣି ନଥିଲେ ମାତ୍ର ଗୋଟିଏ ଶତାବ୍ଦୀ ପରେ ତାଙ୍କ ପ୍ରସ୍ତୁତ ଖାଦ୍ୟ ବିଶ୍ୱର ଘରେ ଘରେ ଏତେ ଲୋକପ୍ରିୟ ହୋଇଯିବ ବୋଲି । ଜୁଲିୟସ୍ ମାଇକେଲ ଜୋହନ୍ସ ମ୍ୟାଗିଙ୍କ ପରିବାର ଇଟାଲୀରୁ ସ୍ୱିଜରଲ୍ୟାଣ୍ଡ ଚାଲିଆସିଥିଲେ। ସ୍ୱିଜରଲ୍ୟାଣ୍ଡର ଫ୍ରୁଏନଫେଲ୍ଡରେ ୧୮୪୬ ମସିହାରେ ମ୍ୟାଗିଙ୍କ ଜନ୍ମ ହୋଇଥିଲା।

ପରିବାରର ୫ଟି ଶିଶୁଙ୍କ ମଧ୍ୟରେ ସର୍ବ କନିଷ୍ଠ ଥିଲେ ମ୍ୟାଗି। ତାଙ୍କ ପିତାଙ୍କର ଏକ ମିଲ ଥିଲା। ହେଲେ ସେତେବେଳେ ମିଲ ବ୍ୟବସାୟରୁ ପରିବାର ଚଳାଇବା ସମ୍ଭବ ହେଉନଥିଲା। ଏଣୁ ମ୍ୟାଗି କିଛି ନୂଆ କରିବାକୁ ଚିନ୍ତାରେ ଥିବା ବେଳେ ପଦାର୍ଥ ବିଜ୍ଞାନୀ ଫ୍ରେଡୋଲିନ ସୁଲରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଶ୍ରମିକଙ୍କୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଡାଲିଜାତିୟ ଶସ୍ୟ, ପରିବା ଓ ଫଳରୁ କିଛି ନୂଆ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହିଁଥିଲେ ଏହି ଦୁହେଁ। ଏହି ଉଦ୍ୟମରୁ ସେମାନେ ୧୮୮୪ ମସିହାରେ ପ୍ରଥମେ ଔଦ୍ୟଗିକ ମଇଦା ପ୍ରସ୍ତୁତ କରିବାରେ ସଫଳ ହେବା ସହ ତାହା ବଜାରକୁ ଛାଡିଥିଲେ। ହେଲେ ତାହା ଚାଲିନଥିଲା। ଏଣୁ ମ୍ୟାଗି ନିରାଶ ହୋଇ ଆଉ କିଛି ନୂଆ କରିବାକୁ ଚିନ୍ତା କରିଥିଲେ।

ଦୁଇ ବର୍ଷ ପରେ ଅର୍ଥାତ ୧୮୮୬ ମସିହାରେ ମ୍ୟାଗି ବିଭିନ୍ନ ସ୍ୱାଦ ଓ ବାସ୍ନାର ରେଡି ଟୁ ୟୁଜ ସୁପ୍ ପ୍ରସ୍ତୁତ କରିଥିଲେ। ସେତେବେଳର ସାମାଜିକ ବ୍ୟବସ୍ଥାରେ ରୋଜଗାରକ୍ଷମ ହେବା ଲାଗି ମହିଳା ବେଶ୍ ଆଗ୍ରହୀଥିଲେ। ଏପରି ମହିଳାଙ୍କୁ ଦୃଷ୍ଟିରେ ରଖି ଖୁବ୍ ସ୍ୱଳ୍ପ ସମୟରେ ସୁସ୍ୱାଦୁ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତି ଲାଗି ମ୍ୟାଗିଙ୍କ ପଦକ୍ଷେପକୁ ସରକାରଙ୍କର ମଧ୍ୟ ସମର୍ଥନ ମିଳିଥିଲା। ଏହାର ଫଳାଫଳରେ ତତ୍କ୍ଷଣାତ ପ୍ରସ୍ତୁତ ହୋଇପାରୁଥିବା ମଟର ଓ ବିନ ସୁପ୍ ସ୍ୱିଜରଲ୍ୟାଣ୍ଡରେ ବେଶ୍ ଲୋକପ୍ରିୟ ହୋଇଥିଲା। ଯାହାକୁ ସେ ନିଜ ନାମରେ ହିଁ ବ୍ରାଣ୍ଡିଂ କରିଥିଲେ ଦେଶରେ।

ତେବେ ପ୍ରଶିଦ୍ଧ ଖାଦ୍ୟ ନିର୍ମାତା ନେସଲେ ଗତ ଶତାବ୍ଦୀର ୧୯୪୭ ମସିହାରେ ମ୍ୟାଗିଙ୍କ ସତ୍ୱାଧିକାର କିଣି ନେଇଥିଲେ। ସାଙ୍ଗରେ କର୍ମଜୀବୀ ମହିଳାଙ୍କ ଲାଗି ସ୍ୱଳ୍ପ ସମୟରେ ଋଚିକର ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତିର ଫର୍ମୂଲା ବି ନେଷ୍ଟଲେଙ୍କର ହୋଇଯାଇଥିଲା। ମ୍ୟାଗି ବ୍ରାଣ୍ଡ ହାତେଇବା ପରେ ନେସଲେ ୧୯୮୩ ମସିହାରେ ପ୍ରଥମ ଥର ଭାରତ ବଜାରରେ ମ୍ୟାଗି ନୁଡୁଲ୍ସ ଇଣ୍ଟରଡ୍ୟୁସ କରିଥିଲେ। ଯାହା ଦେଖୁ ଦେଖୁ ଲୋକପ୍ରିୟ ହେବା ସହ ଘରେ ଘରେ ପରିଚିତ ହୋଇଯାଇଥିଲା।

୮୦ ଦଶକ ଆରମ୍ଭରୁ ଦେଶର ଘରେ ଘରେ ଏପର୍ଯ୍ୟନ୍ତ ରାଜ୍ କରି ଆସୁଥିବା ନେସଲେଙ୍କ ମ୍ୟାଗିକୁ ନେଇ କିଛି ଦିନ ତଳେ ବିବାଦ ଉପୁଜିଥିଲା। ଏଥିରେ ଗ୍ରହଣୀୟ ମାତ୍ରାଠାରୁ ଅଧିକ ମନୋସୋଡିୟମ ଗ୍ଲୁଟାମେଟ୍ (ଏମଏସଜି) ଥିବାର ଅଭିଯୋଗ ହୋଇଥିଲା। ଖାଦ୍ୟପଦାର୍ଥରେ ଲିଡ୍ ର ପରିମାଣ ଯେତିକି ରହିବା କଥା ତା ଠାରୁ ୧୭ ପ୍ରତିଶତ ଅଧିକ ରହୁଥିବାର ପ୍ରମାଣ ମିଳିବା ପରେ ଭାରତ ସରକାର ନେସଲେଙ୍କ ଏହି ନୁଡଲ୍ସ ଉତ୍ପାଦର ବିକ୍ରୟ ଓ ବିପଣନ ଉପରେ ରୋକ ଲଗାଇଥିଲେ। ତେବେ ପରେ ନେସଲେ ଏଥିରେ ସୁଧାର ଆଣିଥିବା ବେଳେ ଲୋକପ୍ରିୟତା ଓ ଖାଦ୍ୟଗୁଣରେ କୌଣସି ପରିବର୍ତ୍ତନ ହୋଇନି।

ଏକ ସମୟରେ ମ୍ୟାଗି ଭାରତର ନୁଡଲ ବଜାରର ୯୦ ପ୍ରତିଶତ ଅଧିକାର କରି ରଖଚି । ତେବେ ପରେ ଗୁଣବତ୍ତା ନେଇ ଅଭିଯୋଗ ଓ ବଜାରରେ ଅନ୍ୟ ବ୍ରାଣ୍ଡମାନଙ୍କ ଉପସ୍ଥିତି ଏବେ ବାଜରରେ ମ୍ୟାଗିର କାରବାର ହ୍ରାସ କରିଛି। ହେଲେ ଭାରତରେ ନୁଡୁଲ କହିଲେ ଲୋକେ ଆଜିବି ମ୍ୟାଗିକୁ ବୁଝନ୍ତି।