ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କର ଅସ୍ଵାଭାବିକ ମୃତ୍ୟୁ; ଥାନା ଆଗରେ ଶତାଧିକ ଗ୍ରାମବାସିଙ୍କ ଧାରଣା
12/09/2022 at 11:24 PM

ବାରିପଦା ୧୨/୦୯: ମୟୁରଭଞ୍ଜ ବଡ଼ସାହି ବ୍ଲକ ବିରେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କର ଅସ୍ଵାଭାବିକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ପରିଚୟ ଅଞ୍ଜଳି ପାତ୍ର। ବଡ଼ସାହି ଥାନା ଅଧୀନ ସିଙ୍ଗଟିଅ ଗାଁର ନିଳକଣ୍ଠ ପାତ୍ରଙ୍କ ଝିଅ ଅଞ୍ଜଳି ବିରେଶ୍ଵରପୁର ଆଦିବାସୀ ବାଳିକା ଛାତ୍ରୀ ନିବାସରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତେବେ ଅଞ୍ଜଳି ରବିବାର ଦିନ ମଧ୍ୟାହ୍ଣରେ ଖାଇବାର କିଛି ସମୟ ପରେ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିଥିଲେ। ଦାୟିତ୍ଵରେ ଥିବା ମେଟ୍ରୋନ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଭାବେ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ମୃତ ଛାତ୍ରୀଙ୍କ ବାପା ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ। ସେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ନପାରି ଝିଅକୁ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। ଏ ବିଷୟରେ ପୋଲିସ ଖବର ପାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ନିଳକଣ୍ଠ ଝିଅର ମୃତଦେହକୁ ବ୍ୟବଛେଦ ପାଇଁ ଛାଡ଼ି ନଥିଲେ। ସେ ଝିଅ ଜୀବିତ ଅଛି ବୋଲି ଦାବି କରିଥିଲେ। ବହୁତ ସମୟ ଧରି ବଡ଼ସାହି ଓ ଖୁଣ୍ଟା ପୋଲିସ ନିଳକଣ୍ଠଙ୍କୁ ଝିଅର ମୃତ୍ୟୁ ହୋଇଛି ବୋଲି ବୁଝାଇଇଥିଲେ। ପରେ ଝିଅର ମରଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ନିଳକଣ୍ଠ ରାଜି ହୋଇଥିଲେ। ବଡ଼ସାହି ଥାନାଧିକାରୀ ଶବ ସହିତ ବାରିପଦା ପିଆରଏମରେ ଉପସ୍ଥିତ ଥିଲେବି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ସେପଟେ ଏଭଳି ଘଟଣାରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବାରିପଦା ଟାଉନ ଓ ବଡ଼ସାହି ଥାନାରେ ଏତଲା ଦିଆ ଯାଇଛି। ମୃତକଙ୍କ ପରିବାର ସହିତ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସନ୍ଦେହ ଜନକ ଭାବେ ବଡ଼ସାହି ବିରେଶ୍ୱରପୁର ହାଇସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ସ୍କୁଲ ଓ ବଡ଼ସାହି ଥାନା ଆଗରେ ୧୦୦ରୁ ଅଧିକ ଗାଁଲୋକ ଧାରଣା ଦେଇଛନ୍ତି। ପରିସ୍ଥିତି ଅଧିକ ଜଟିଳ ହେବା ଆଶଙ୍କାରେ ବାରିପଦାରେ ଛାତ୍ରୀଙ୍କ ମୃତ ଦେହକୁ ପୋଲିସ ଅଟକ ରଖିଛି।