ଉନ୍ନାଓ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା : କୋର୍ଟଙ୍କ ରାୟରେ କଇଁକଇଁ ହୋଇ କାନ୍ଦିଲା ସେନଗାର

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨:   ଦିଲ୍ଲୀ ତିଶହଜାରୀ କୋର୍ଟ ସୋମବାର ଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲାର ରାୟ ଘୋଷଣା କରିଛନ୍ତି। କୋର୍ଟ ମୁଖ୍ୟ ଅଭିଯୁକ୍ତ ତଥା ବିଧାୟକ କୂଲଦୀପ ସିଂ ସେନଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ କୋର୍ଟରେ ସେନଗାରଙ୍କ ରାୟ ଘୋଷଣା ବେଳେ ସେ କଇଁକଇଁ ହୋଇ କାନ୍ଦୁଥିବା ଦେଖାଯାଇଛି। ସେନଗାର କାଠଗଡାରେ ଛିଡା ହୋଇଥିବା ବେଳେ ପାଖରେ ତାଙ୍କର ଭଉଣୀ ଥିଲେ। ସେ ତାଙ୍କୁ ପ୍ରବୋଧନା ଦେଉଥିବା ଦେଖାଯାଇଥିଲା।

ସେନଗାର ଜଣେ ଜନ ପ୍ରତିନିଧି ହୋଇ ମଧ୍ୟ ଏକ ନାବାଳିକାର ଅପହରଣ ଓ ଦୁଷ୍କର୍ମ ଭଳି ଘଟଣାରେ ଜଡିତ ହେବା ଘଟଣାକୁ ନିନ୍ଦା କରିବା ସହ ତାଙ୍କୁ ପକ୍ସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପହରଣ ଓ ଗଣ ଦୁଷ୍କର୍ମ ମାମଲାରେ ସେନଗାରଙ୍କ ବିରୋଧରେ ମୋଟ ୫ଟି ମୋକଦ୍ଦମା ରୁଜୁ ହୋଇଛି। ତାଙ୍କ ପ୍ରତି ଦଣ୍ଡ ବିଧାନ ନେଇ ଡିସେମ୍ବର ୧୭ ତାରିଖରେ କୋର୍ଟରେ ଶୁଣାଣି ହେବ। 

ପକ୍ସୋ ଆଇନରେ କୋର୍ଟ ତାଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡାଦେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ତେବେ ଉନ୍ନାଓ ସାରା ଦେଶର ଦୃଷ୍ଟି ଆକର୍ଶଣ କରିଥିବା ବେଳେ ଅଭିଯୁକ୍ତ ଜଣେ ନିର୍ବାଚିତ ଜନ ପ୍ରତିନିଧି। ଏଣୁ ସମ୍ପୂର୍ଣ୍ଣ ମାମଲା ଏକ ଫିଲ୍ମ ଡ୍ରାମା ଭଳି ପ୍ରତୀତ ହେଉଥିବା ବେଳେ  ସେନଗାର ଜଣେ ବାସ୍ତବ ଜୀବନରେ ଖଳନାୟକ ସାବ୍ୟସ୍ତ ହୋଇଛନ୍ତି। ଏଣୁ କୋର୍ଟ ନିଶ୍ଚିତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବେ ବୋଲି ଏବେ ସାରା ଦେଶ ଏବେ ଆଶା କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.