ବିବାହରୁ ମୁହଁ ଫେରାଉଛନ୍ତି ଯୁବପିଢି ! ଦେଶରେ ଅବିବାହିତ ଯୁବବର୍ଗଙ୍କ ସଂଖ୍ୟାରେ ବୃଦ୍ଧି-ସର୍ଭେ

Published By : Prameya-News7 Bureau | July 14, 2022 IST

ନୂଆଦିଲ୍ଲୀ: ଦେଶରେ ଗତ କିଛି ବର୍ଷରେ ଅବିବାହିତ ଯୁବକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଏହି କଥା ସାମନାକୁ ଆସିଛି। ସର୍ଭେର ପରିସଂଖ୍ୟାନ ଅନୁସାରେ ଦେଶରେ ୧୫-୨୯ ବର୍ଷର ବୟସର ଅବିବାହିତଙ୍କ ଅନୁପାତ ୨୦୧୯ରେ ବଢି ୨୩ ପ୍ରତିଶତ ହୋଇଛି । ୨୦୧୧ରେ ଏହା ୧୭.୨ ପ୍ରତିଶତ ଥିଲା।

ରାଷ୍ଟ୍ରୀୟ ଯୁବ ନୀତି-୨୦୧୪ ଅନୁସାରେ ଦେଶରେ ୧୫ରୁ ୨୯ ବର୍ଷ ବୟସକୁ ଯୁବ ବର୍ଗରେ ସାମିଲ କରାଯାଇଛି । କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁସାରେ, ଦେଶରେ ବିବାହ କରି ନଥିବା ପୁରୁଷଙ୍କ ସଂଖ୍ୟା ୨୦୧୧ରେ ୨୦.୮ ପ୍ରତିଶତ ଥିଲ। ୨୦୧୯ରେ ଏହା ୨୬.୧ ପ୍ରତିଶତ ହୋଇଛି । ସର୍ଭେ ଅନୁସାରେ, ଏହି ଅବଧିରେ ବିବାହ କରିନଥିବା ମହିଳାଙ୍କ ଅନୁପାତ ମଧ୍ୟ ବୃଦ୍ଧି ପାଇଛି।

ସର୍ଭେ ଅନୁସାରେ, ଅବିବାହିତ ମହିଳାଙ୍କ ଅନୁପାତ ୨୦୧୧ରେ ୧୩.୫ ପ୍ରତିଶତ ଥିଲା, ଯାହା ୨୦୧୯ରେ ବୃଦ୍ଧି ପାଇ ୧୯.୯ ପ୍ରତିଶତ ହୋଇଛି। ସର୍ଭେ ଅନୁସାରେ ଦେଶରେ ୨୦୧୯ରେ ଜାମ୍ମୁ କାଶ୍ମୀରରେ ଏପରି ଯୁବବର୍ଗଙ୍କ ସଂଖ୍ୟ ସବୁଠୁ ଅଧିକ ଥିଲା । ଏହାପରେ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ପଞ୍ଜାବ ଥିଲା।

ସର୍ଭେ ଅନୁସାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ବୃଦ୍ଧି ପାଇବାର ଆଶା ରହିଛି, କିନ୍ତୁ ୨୦୩୬ ପରେ ଏଥିରେ ହ୍ରାସ ଘଟିପାରେ ।ଦେଶରେ ୧୯୯୧ରେ ମୋଟ ଯୁବବର୍ଗ ସଂଖ୍ୟା ୨୨.୨୭ କୋଟି ଥିଲା ଯାହା ୨୦୧୧ରେ ବଢି ୩୩.୩୪ କୋଟି ହୋଇଥିଲା । ୨୦୨୧ ସୁଦ୍ଧା ୩୭.୧୪ କୋଟିରେ ପହଞ୍ଚିବାର ଅନୁମାନ ଥିଲା ଏବଂ ଏହାପରେ ୨୦୩୬ରେ ଏହା ହ୍ରାସ ହୋଇ ୩୪.୫୫ କୋଟି ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.