ରାୟଗଡା ୧୨/୬: ରାୟଗଡା ଜିଲ୍ଲା କାଶୀପୁରରେ ବ୍ୟାପୁଛି ଅଜଣା ରୋଗ । ସପ୍ତାହ ଭିତରେ ୪ ଜଣ ଶିଶୁଙ୍କ ଜୀବନ ଗଲାଣି । ଆଉ ୪ ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକ ୪ ଜଣ ହେଲେ ୧୫ ବର୍ଷୀୟ କାଳି ମାଝୀ, ୧୨ ବର୍ଷୀୟ ଦାଶି ମାଝୀ, ୬ ବର୍ଷୀୟ ନରେନ୍ଦ୍ର ମାଝୀ ଓ ୯ ବର୍ଷୀୟ ପୂର୍ଣ୍ଣି ମାଝୀ ।
କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗାଁରେ ଗତ ୩ ତାରିଖରୁ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ୪ ଜଣ ଆକ୍ରାନ୍ତ ଶିଶୁଙ୍କୁ ଅନୁଧ୍ୟାନ କରିବା ପରେ ଡାକ୍ତର କହିଛନ୍ତି ଗଳାରେ କିଛି ସଂକ୍ରମଣ ପାଇଁ ଏହି ରୋଗ ବ୍ୟାପୁଛି । ନମୁନା ସଂଗ୍ରହ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେଉଁ କାରଣରୁ ରୋଗ ବ୍ୟାପୁଛି ।
୧୦ ଦିନ ହେବା ଗାଁରେ ରୋଗ ବ୍ୟାପୁଥିଲେ ବି ସ୍ବାସ୍ଥ୍ୟ ବିଭାଗକୁ ଲୋକେ ଜଣାଇନଥିଲେ । ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ ଲୋକେ ଗୁଣି ଗାରେଡି ପୂଜା ପାଠ ଉପରେ ନିର୍ଭର କରୁଥିବାରୁ ରୋଗ ଅଧିକ ବଢିଯାଉଥିବା କୁହାଯାଉଛି ।