ସ୍କୁଲ ପିଲା ଉପରେ ମାଡ଼ିଗଲା ଅଜଣା ଗାଡ଼ି : ୨ ମୃତ, ଜଣେ ଗୁରୁତର : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
18/01/2019 at 5:21 PM

କନ୍ଧମାଳ ୧୮/୧: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପିରିକୁଡ଼ିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଡ଼ି ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇଜଣ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତ ଦୁଇଜଣ ଛାତ୍ର ଦୁତୀପଡ଼ା ହାଇସ୍କୁଲର । ଆଜି ସ୍କୁଲ୍ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିଲେ। ଦୃତ ଗତିରେ ପଛରୁ ଆସୁଥିବା ଏକ ଗାଡ଼ି ପିଲାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ମୃତ ୨ଜଣ ଛାତ୍ର ହେଲେ ସିପୁନ୍ ବେହେରା ଓ ରାଜକିଶୋର କହଁର। ଉଭୟଙ୍କ ଘର ଖଉମୁଣ୍ଡା ଗାଁରେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖଜୁରୀପଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
