କିଆଙ୍ଗରେ ଅଜଣା ରୋଗ ଆତଙ୍କ, ୬ ଦିନରେ ଗଡିଲାଣି ୩ ମୁଣ୍ଡ

Published By : Prameya-News7 Bureau | December 07, 2022 IST

ମାଲକାନଗିରି ୦୭/୧୨: ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତରେ ଗତ କିଛିଦିନ ହେଲା ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଗତ ୬ଦିନ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଥିବାର ଜଣାପଡ଼ିଛି ।

କିଆଙ୍ଗ ଗ୍ରାମର ଡମ୍ବରୁ ପୂଜାରୀଙ୍କର ଗତ କିଛିଦିନ ହେଲା ଗୋଡ଼ ହାତସବୁ ଫୁଲି ଯାଇ ମୁଣ୍ଡ ଘୁରାଇ ଜ୍ଵର ହେଉଥିଲା । ତାଙ୍କର ଦେହ ଅସୁସ୍ଥ ହେବା ଦେଖି ପରିବାର ଲୋକେ ଗତ କାଲି ପ୍ରଥମେ ମାଥିଲି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରୁ ଡ଼ମ୍ବରୁ ପୂଜାରୀଙ୍କର ମୃତ୍ୟୁ ହୋଇଛି । ଠିକ ସେହିପରି କିଆଙ୍ଗ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଗୌରୀ ପୂଜାରୀ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ଅନ୍ତ୍ୟେଷ୍ଟି କାମ ସରିବା ପରେ ପୁଅ ଭଗବାନ ପୂଜାରୀ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ହାତ ଗୋଡ଼ ସବୁ ଫୁଲି ମୁଣ୍ଡ ଜନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ମାଥିଲି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ଏବେ ସେ ପଞ୍ଚାୟତରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବାର ଜଣା ପଡ଼ିଛି ।

ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ମାଥିଲି ବ୍ଲକସ୍ଥ ସଲିମ ପଞ୍ଚାୟତ ହଲଦୀକୁଣ୍ଡ,ସର୍ଗିଗୁଡା ଗ୍ରାମରେ ଅଜଣାରୋଗରେ ଆକ୍ରାନ୍ତ ହୋଇ ବେସରକାରୀ ଭାବେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସରକାରୀ ଭାବେ କୁହାଯାଇଥିଲା ୯ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.