ଫିଲ୍ମ ଷ୍ଟାଇଲ୍‌ରେ ମର୍ଡର, ବିଚ୍ ବଜାରରେ କାରକୁ ଘେରି ଆଖି ବୁଜା ଗୁଳିମାଡ...

Published By : Prameya-News7 Bureau | February 22, 2021 IST

ଗୁରୁଗ୍ରାମ ୨୨।୦୨: ଗୁରୁଗ୍ରାମର ଫିରୋଜ ଗାନ୍ଧୀ କଲୋନୀରେ ସୋମବାର ଦିନ ଦ୍ଵିପ୍ରହରରେ କାରରେ ଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଆଖିବୁଜା ଗୁଳି କରି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଯୁବକଙ୍କ ଉପରକୁ ଦୁର୍ବୃତ୍ତ ୨୦ରୁ ଅଧିକ ଗୁଳିମାଡ କରିଛନ୍ତି। ଏଥିରୁ ପ୍ରାୟ ୧୦ରୁ ଅଧିକ ଗୁଳି ମୃତକଙ୍କ ଶରୀରରେ ବାଜିଛି। ମୃତକଙ୍କ କୌଣସି ଅପରାଧିକ ରେକର୍ଡ ନଥିବା ବେଳେ ସେ କୌଣସି କେସ୍‌ର ସାକ୍ଷୀ ନଥିଲେ।

ପୋଲିସ ବୁଝି ପାରୁନାହିଁ ଯେ, ଯୁବକଙ୍କୁ କଣ ପାଇଁ ଏତେ ନୃଶଂସ ଭାବେ ହତ୍ୟା କରାଯାଇଛି। ପୋଲିସ ମାମଲା ରୁଜୁ କରି ଅପରାଧୀଙ୍କ ସନ୍ଧାନରେ ଜୁଟି ଯାଇଛି। ଆଖାପାଖର ସିସିଟିଭି ଫୁଟେଜ୍‌ର ତନ୍ନ ତନ୍ନ ଯାଞ୍ଚ କରାଯାଉଛି।

ପୋଲିର ସୂଚନା ଅନୁଯାୟୀ, ଫିରୋଜଗାନ୍ଧୀ କଲୋନୀର ନିବାସୀ ସୁରଜିତ ପୁରବ ବାବୁ ନାମକ ବ୍ୟକ୍ତିଙ୍କ ଭାଇ ଅଟୋ ଚଳାନ୍ତି। ତାଙ୍କ ପାଖରେ ବସଇର ବାସିନ୍ଦା ମନୀଷ(୨୫ ବର୍ଷ) କାମ କରୁଥିଲେ। ମନୀଷ ରେଲଓ୍ଵେ ରୋଡ୍‌ ଯାଇ ଟେମ୍ପୁ ଚଳାଉଥିବା ଲୋକଙ୍କଠୁ ଟଙ୍କା ମଧ୍ୟ ସଂଗ୍ରହ କରନ୍ତି। ହେଲେ ସୋମବାର ପୂର୍ବାହ୍ନ ୧୧ଟାରେ ସେ ନିଜ ବାଇକ୍‌ରେ ଫିରୋଜ ଗାନ୍ଧୀ କଲୋନୀ ଆସିଥିଲେ। ସେଠାରେ ନିଜ ବାଇକ୍ ରଖି ଭିତରକୁ ଯାଇଥିଲେ।

କିଛି ସମୟ ପରେ ବାହାରକୁ ଆସି ମାଲିକଙ୍କ ଏସୟୁଭି ୫୦୦ କାରରେ ବସିଥିଲେ। ଯେମିତି ଗାଡି ଆଗକୁ ବଢିଲା, ସେହି ସମୟରେ ଅଚାନକ ୨ ଯୁବକ କାରକୁ ଘେରି ଯାଇଥିଲେ। ଦୁର୍ବୃତ୍ତ ମନୀଷଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପ୍ରାୟ ୨୦ରୁ ଅଧିକ ଗୁଳି ଚଳାଯାଇଥିଲା। ଏଥିରୁ ୧୦ରୁ ଅଧିକ ଗୁଳି ମନୀଷଙ୍କ ଦେହରେ ବାଜିଥିଲା। କାର ସିଟ୍‌ରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଦୁର୍ବୃତ୍ତ ଦୌଡି ଦୌଡି ସେଠାରୁ ଫେରାର ମାରିଥିଲେ।

ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମନୀଷଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ପୋଲିସ ଅଧିକାରୀ ଘଟଣାସ୍ଥଳରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ର ଯାଞ୍ଚ କରୁଛନ୍ତି। ଏହା ବ୍ୟତୀତ ପୋଲିସ ମନୀଷଙ୍କ କଲ୍‌ ଡିଟେଲ୍‌ ଓ ଅନ୍ୟ ସୂଚନା ସଂଗ୍ରହ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.