ନା ମୁରଲୀଧରନ ନା ନାରିନେ, ୟୁନିଭର୍ସ ବୋସ୍ କ୍ରିସ୍ ଗେଲ୍ଙ୍କ ଦାବି- ‘ମୁଁ ହିଁ ମହାନ ଅଫ ସ୍ପିନର’
24/08/2022 at 6:08 PM

ନୂଆଦିଲ୍ଲୀ: ଆସନ୍ତାମାସରେ ୪୩ ବର୍ଷରେ ପଦାର୍ପଣ କରିବେ ଓ୍ଵେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ ତଥା ‘ୟୁନିଭର୍ସ ବୋସ୍’ ନାମରେ ପରିଚିତ କ୍ରିସ୍ ଗେଲ୍। ସଂପ୍ରତି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର କୌଣସି ଅଭିପ୍ରାୟ ନାହିଁ। ସେ ଟି-୨୦ରେ ସର୍ବାଧିକ ରନ ସ୍କୋରର। ତାଙ୍କ ନାମରେ ଟି-୨୦ରେ ମୋଟ୍ ୧୪,୫୬୨ ରନ ରହିଛି। ସମସ୍ତେ ଚାହାନ୍ତି କ୍ରିସ୍ ଗେଲ୍ ପୁଣି ଥରେ ପଡିଆରେ ନଜର ଆସନ୍ତୁ। ‘6ixty’ ନାମରେ ପରିଚିତ ୬୦ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ପଡିଆକୁ ଓହ୍ଲାଇବେ। ଏହା କାରିବିଆନ ଆଇଲାଣ୍ଡରେ ଆୟୋଜନ ହେବ। ହେଲେ ନିଜର ଧୂଆଁଧାର ବ୍ୟାଟିଂକୁ ନେଇ ପରିଚିତ ଗ୍ରେସ୍ ଏବେ ନିଜର ବୋଲିଂ ଦକ୍ଷତାକୁ ନେଇ ପ୍ରଶଂସା କରିଛନ୍ତି। ଏପରିକି ନିଜକୁ ସେ ମହାନ ଅଫ ସ୍ପିନର ବୋଲି ଦର୍ଶାଇଛନ୍ତି।
ସେ କହିଛନ୍ତି ଆପଣ ଜାଣିଛନ୍ତି କି ? ମୋ ବୋଲିଂ ପ୍ରାକୃତିକ। ମୁଁ ବହୁତ ଭଲ ବୋଲିଂ କରିପାରେ। ମୁଁ ସର୍ବକାଳୀନ ମହାନ ଅଫ ସ୍ପିନର। ମୁରଲୀଧରଣ ନିଶ୍ଚିତ ରୂପେ ମୋ ସହ ବୋଲିଂରେ ପ୍ରତିଯୋଗିତା କରି ପାରିବେ। ମୋର ଇକୋନୋମି ବହୁତ ଭଲ। ଏପରିକି ସୁନିଲ ନାରିନେ ବି ମୋ ନିକଟତର ନୁହନ୍ତି ବୋଲି ଇଏସପିଏନକ୍ରିକଇନଫୋ ସହ ଆଲୋଚନା ବେଳେ କହିଛନ୍ତି କ୍ରିସ୍ ଗେଲ୍।
‘6ixty’ ବିଷୟରେ ଆଲୋଚନା କରି ଗ୍ରେଲ୍ କହିଛନ୍ତି, ମୁଁ କ୍ରିକେଟର ଏହି ନୂଆ ଫର୍ମାଟରେ ଖେଳିବା ପାଇଁ ଉତ୍ସାହିତ। ବାସ୍ତବରେ ମୁଁ ପଡିଆକୁ ଫେରିବା ନେଇ ବହୁତ ଉତ୍ସୁକ। ପ୍ରଥମ ମ୍ୟାଚ୍ ଉପରେ ନିଜର ଧ୍ୟାନ ରଖିଛି। କ୍ରିକେଟର ନୂତନ ଫର୍ମାଟରେ ଏହା ମୋର ପଦାର୍ପଣ ମ୍ୟାଚ୍। ସୂଚନାଯୋଗ୍ୟ, ଗେଲ୍ ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଶେଷ ମ୍ୟାଚ୍ ଗତ ବର୍ଷ ୟୁଏଇରେ ଆୟୋଜିତ ବିଶ୍ଵ କପ୍ରେ ଖେଳିଥିଲେ। ଏହା ପରେ ତାଙ୍କୁ ଅନେକ ଟି-୨୦ ଲିଗ୍ରେ ଦେଖିବାକୁ ମିଳିଥିଲା।