ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ୱାର୍ଲ୍ଡ ରେସଲିଙ୍ଗ୍: ତ୍ରିରଙ୍ଗା ପତାକା ତଳେ ଲଢ଼ିପାରିବେନି କୁସ୍ତିଯୋଦ୍ଧା

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ, ୨୪/୦୮: ଦେଶର କୁସ୍ତିଯୋଦ୍ଧାଙ୍କୁ ବଡ଼ ଝଟକା ଲାଗିଛି। ୟୁନାଇଟେଡ୍‌ ଓ୍ବାର୍ଲ୍ଡ ରେସଲିଙ୍ଗ (UWW) ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରିଛନ୍ତି । ୪୫ ଦିନ ମଧ୍ୟରେ ଡବ୍ଲୁଏଫଆଇର ଆବଶ୍ୟକୀୟ ନିର୍ବାଚନ କରିନପାରିବାରୁ ସଦସ୍ୟତା ରଦ୍ଦ ହୋଇଛି । ପ୍ରକୃତରେ ଅଗଷ୍ଟ ୧୨ରେ ଭାରତୀୟ କୁସ୍ତି ସଂଘ (WFI)ର ଅଧ୍ୟକ୍ଷ ନିର୍ବାଚନ ହେବାର ଥିଲା । କିନ୍ତୁ ପଞ୍ଜାବ- ହରିୟାଣା ହାଇକୋର୍ଟ ଭୋଟିଂରୁ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଉପରେ ରୋକ୍‌ ଲଗାଇଥିଲେ। ବିଶ୍ବ କୁସ୍ତିଯୋଦ୍ଧା ସଂଘ, ଭାରତୀୟ ସଂଘକୁ ୪୫ ଦିନ ମଧ୍ୟରେ ନିର୍ବାଚନ କରିବାକୁ କହିଥିଲେ। କିନ୍ତୁ ଦୀର୍ଘ ସମୟ ପରେ ନିର୍ବାଚନ ହୋଇପାରିନଥିଲା।

ଆସାମ ହାଇକୋର୍ଟ ମଧ୍ୟ ଭାରତୀୟ କୁସ୍ତି ସଂଘ ଉପରେ ରୋକ୍‌ ଲଗାଇସାରିଛି। ପ୍ରଥମେ ଜୁଲାଇ ୧୧ରେ ନିର୍ବାଚନ ହେବାର ଥିଲା, ହେଲେ ଆସମ କୁସ୍ତିଯୋଦ୍ଧା ସଂଘ ନିଜର ମାନ୍ୟତାକୁ ନେଇ କୋର୍ଟ ପହଞ୍ଚିଥିଲା। ଯାହା ଉପରେ ଶୁଣାଣି କରି ଆସାମ ହାଇକୋର୍ଟ ନିର୍ବାଚନ ଉପରେ ରୋକ୍ ଲଗାଇଥିଲେ। ଏହା ପରେ ଆଉ ନିର୍ବାଚନ ହୋଇପାରିନାହିଁ।

ଆହୁରି ପଢ଼ନ୍ତୁ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ

ସୂଚନାଯୋଗ୍ୟ, ଭାରତୀୟ କୁସ୍ତିରେ ଗତ କିଛି ମାସରୁ ଅସନ୍ତୋଷ ଲାଗି ରହିଛି। ବିନେଶ ଫୋଗାଟ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ସହ ଅନେକ କୁସ୍ତିଯୋଦ୍ଧା ତତ୍କାଳୀନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ଏବଂ ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ। ଯାହା ପରେ ଖେଳ ମନ୍ତ୍ରାଳୟ ଫେଡେରେସନର ପଦାଧିକାରୀଙ୍କୁ ବହିଷ୍କାର କରିଥିଲେ। ପଦାଧିକାରୀଙ୍କ ବହିଷ୍କାର ପରେ ଆଡହକ କମିଟି ଫେଡେରେସନର କାମ ସମ୍ଭାଳୁଥିଲା।

ତେବେ ୧୨ ଅଗଷ୍ଟରେ ହେବାକୁ ଥିବା ନିର୍ବାଚନ ପାଇଁ ୪ ଆଶାୟୀ ନାମାଙ୍କନ ଭରିଥିଲେ। ଅଧ୍ୟକ୍ଷ ପଦ ପାଇଁ ଜଣେ ମହିଳା ମଧ୍ୟ ନାମାଙ୍କନ ଭରିଥିଲେ। ନାମାଙ୍କନ ଭରିଥିବା ସଞ୍ଜୟ ସିଂହଙ୍କୁ ନେଇ ବିବାଦ ହୋଇଥିଲା। ସଞ୍ଜୟ ସିଂହଙ୍କୁ ବ୍ରିଜଭୂଷଣ ସିଂହଙ୍କ ଘନିଷ୍ଠ କୁହାଯାଇଥିଲେ। ତାଙ୍କର ନିର୍ବାଚନକୁ ଓହ୍ଲାଇବାକୁ ନେଇ କୁସ୍ତିଯୋଦ୍ଧା ଅସନ୍ତୋଷ ପ୍ରକାଶ କରିଥିଲେ। କୁସ୍ତିଯୋଦ୍ଧାମାନେ ଏକମାତ୍ର ମହିଳା ଆଶାୟୀ ଅନୀତା ଶ୍ୟୋରଣଙ୍କୁ ସମର୍ଥନ କରୁଥିଲେ।

ଆହୁରି ପଢ଼ନ୍ତୁ: ପକ୍ସୋ ମାମଲାରେ ବ୍ରିଜ୍‌ଭୂଷଣଙ୍କୁ ଆଶ୍ବସ୍ତି, ପୋଲିସ୍‌ର କ୍ଲୋଜର ରିପୋର୍ଟରେ ଆପତ୍ତି ନଥିବା କହିଲେ ନାବାଳିକା କୁସ୍ତିଯୋଦ୍ଧା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.