କାନରେ ହେଉଛି ଅଜବ ଶବ୍ଦ: ଭ୍ୟାକ୍ସିନ ଉପରେ ପୁଣି ଉଠିଲା ପ୍ରଶ୍ନ, କଣ କହିଲେ ଏକ୍ସପର୍ଟ ?
23/04/2023 at 10:16 PM

ନୂଆଦିଲ୍ଲୀ: କୋଭିଡ୍ ଭ୍ୟାକ୍ସିନର କୁପ୍ରଭାବ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆମେରିକାର କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଭ୍ୟାକ୍ସିନ ନେବା ପରେ କାନରେ ଶ୍ରବଣଶକ୍ତି ଜନିତ ସମସ୍ୟା ସୃଷ୍ଟି ହେଉଛି। ଶ୍ରବଣ ଶକ୍ତି ହରାଇବା ପୂର୍ବରୁ ଯେଉଁଭଳି ଶବ୍ଦ ହୁଏ ସେହିଭଳ ଶବ୍ଦ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ଡାକ୍ତରୀ ବିଜ୍ଞାନରେ ଟିନିଟସ ବୋଲି କୁହାଯାଉଛି। ପୂର୍ବରୁ ଭ୍ୟାକ୍ସିନକୁ ନେଇ ଏଭଳି ଅନେକ ଦାବି ହୋଇ ସାରିଥିଲେ ଏନେଇ କୌଣସି ପ୍ରମାଣ ମିଳି ନାହିଁ।
ଆମେରିକାର କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କହିବା କଥା ହେଲା ଯେ ଭ୍ୟାକ୍ସିନ ନେବା ପରେ ତାଙ୍କ କାନରେ ଶବ୍ଦ ହେଉଛି। ଏନେଇ ସେମାନେ ଆମେରିକାର ଆରିଜୋନା ବିଶ୍ୱ ବିଦ୍ୟାଳୟ ଟକ୍ସନର ମେଡିସିନ କଲେଜର ଫିଜିଓଲୋଜି ବିଭାଗ ପ୍ରଫେସର ଶାୱେନ ବାଓଙ୍କୁ ଅଭିଯୋଗ କରିଛନ୍ତି। ଫେସ୍ବୁକ୍ରେ ଏକ ଗ୍ରୁପ୍ କ୍ରିଏଟ୍ କରି ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ସେମାନେ ଦାବି ଜଣାଇଛନ୍ତି। ବାଓ ଆମେରିକାନ ଟିନିଟସ ଆସୋସିଏସନ ସାଇଣ୍ଟିଫିକ୍ ବୋର୍ଡ ଆଡ୍ଭାଇଜୀର ବୋର୍ଡର ପ୍ରତିନିଧି ମଧ୍ୟ ଅଛନ୍ତି।
ଏନ୍ବିସି ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ ପ୍ରଥମେ ବାଓ କହିଥିଲେ ଯେ କାନରେ ଶବ୍ଦ ହେବା ମସ୍ତିଷ୍କ ଓ ମେରୁହାଡ଼ ଫୁଲା ଯୋଗୁ ଏମିତି ହେଉଥାଇପାରେ। ହେଲେ ଯେବେ ଘଟଣାର ତଦନ୍ତ କଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଅତ୍ୟଧିକ ମାତ୍ରାରେ ରହିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୋଗ କରିଥିଲେ ଯେ ତାଙ୍କ ମୁଣ୍ଡରେ ଭୟଙ୍କର ଶବ୍ଦ ହେଉଛି। ସେ କାର୍ ଶବ୍ଦ କିମ୍ବା ରେଡିଓ ଶୁଣିପାରୁ ନାହାନ୍ତି।
କୋଭିଡ୍ର ପ୍ରଥମ ଟିକା ନେବା ପରେ ଟିନିଟସର ଅଭିଯୋଗ ଅଧିକ ହୋଇଥିବା ସେ ଜାଣିବାକୁ ପାଇଥିଲେ। କେବଳେ ଟିନିଟସ୍ ନୁହେଁ ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, କାନରେ ଯନ୍ତ୍ରଣା ହେବା ଓ ଚିନ୍ତା ଓ ଚାପ ବଢ଼ିବା ଭଳି ସମସ୍ୟା ଦେଖା ଦେଇଥିଲା।
କଣ କହିଲା ଆମେରିକା ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ସଂସ୍ଥା(ସିଡିଏସ୍) ?
ଆମେରିକା ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ସଂସ୍ଥା(ସିଡିଏସ୍) ପାଖକୁ ଏହିଭଳି ୧୬,୧୮୩ ଅଭିଯୋଗ ଆସିଛି। ହେଲେ ସିଡିଏସ୍ର କହିବା କଥା ହେଲା ଏନେଇ ଯାଞ୍ଚ ହୋଇଥିଲା। ହେଲେ ଟିନିଟସ୍ ସହ କୋଭିଡ୍ ଭ୍ୟାକ୍ସିନର କୌଣସି ସମ୍ପର୍କ ଥିବା ସେମାନେ ଯାଞ୍ଚରେ ପାଇ ନାହାନ୍ତି ବୋଲି ସିଡିଏସ୍ କହିଛି। ତେବେ ସିଡିଏସ୍ କରିଥିବା ଯାଞ୍ଚ ସାର୍ବଜନିନ ହୋଇ ନଥିବା କୁହାଯାଉଛି। ଅନ୍ୟପଟେ ସିଡିଏସ୍ ଏନେଇ ଗଭୀର ଅଧ୍ୟୟନ କରୁ ନାହିଁ ବୋଲି ମଧ୍ୟ ଭ୍ୟାକ୍ସିନ ବିଶେଷଜ୍ଞ ଡା. ଗ୍ରେଗୋରୀ ପୋଲାଣ୍ଡ କହିଛନ୍ତି।