ଜାତିସଂଘ ପର୍ଯ୍ୟନ୍ତ ଶୁଭିଲା କୃଷକ ଆନ୍ଦୋଳନର ସ୍ଵର, ମହାସଚିବ କହିଲେ- ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ରହିଛି
5/12/2020 at 5:40 PM

ନ୍ୟୁୟର୍କ ୦୫।୧୨: କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନର ଚର୍ଚ୍ଚା କାନାଡା, ବ୍ରିଟେନ୍ ପରେ ବର୍ତ୍ତମାନ ମିଳିତ ଜାତିସଂଘରେ ହେବାରେ ଲାଗିଛି। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟାରେସ୍ ମଧ୍ୟ ଭାରତରେ ଜାରି କୃଷକ ଆନ୍ଦୋଳନକୁ ନେଇ କହିଛନ୍ତି ଯେ, କୃଷକଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ରହିଛି ଏବଂ ଅଧିକାରୀଙ୍କୁ ଏହା କରିବାକୁ ଦେବା ଉଚିତ୍। ଭାରତ ପକ୍ଷରୁ ଏହା ଏକ ଘରୋଇ ପ୍ରସଙ୍ଗ ହୋଇଥିବାରୁ ବିଦେଶ ନେତା ଏଥିରେ ହସ୍ତକ୍ଷେପ ନକରିବାକୁ ଉପଦେଶ ଦେବା ପରେ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀ ପୁଣି ଥରେ ନିଜ କଥା ଦୋହରାଇଛନ୍ତି। ଭାରତର କହିବା କଥା ଏହା ଏକ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ।
ମିଳିତ ଜାତିସଂଘର ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ ଶୁକ୍ରବାର କହିଛନ୍ତି, ଏହି ପ୍ରସଙ୍ଗରେ ଅନ୍ୟ ଲୋକ ଯାହା କହିଛନ୍ତି, ତାହା ଉପରେ ମୁଁ କହିବାକୁ ଚାହୁଁଛି ଯେ, ଲୋକଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ଅଧିକାର ରହିଛି ଏବଂ ଅଧିକାରୀଙ୍କୁ କୃଷକଙ୍କୁ ଏହା କରିବାକୁ ଦେବା ଉଚିତ୍।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କୃଷକ ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା। କିଛି ବିଦେଶୀ ନେତା କିଛି ନବୁଝି ଅନାବଶ୍ୟକ ବୟାନ ଦେଉଛନ୍ତି। ଏହା ଏକ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରାଯାଉଛି। ଭାରତ କାନାଡାକୁ ରୋକ୍ ଠୋକ୍ କହି ଦେଇଛି ଯେ, ଯଦି ଏହାର ନେତା ଏମିତି ଦାୟିତ୍ଵହୀନ ବୟାନ ଦେବା ଜାରି ରଖିବେ ତେବେ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହେବ। କିନ୍ତୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଭାରତର ଚେତାବନୀକୁ ଅଣଦେଖା କରି ନିଜର ବୟାନକୁ ପୁଣି ଥରେ ଦୋହରାଇଛନ୍ତି।
ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଓ କିଛି ମନ୍ତ୍ରୀ କୃଷକଙ୍କ ଆନ୍ଦୋଳନ ଉପରେ ବୟାନବାଜି କରିଛନ୍ତି। ଭାରତ ପକ୍ଷରୁ କ୍ରମାଗତ ଆପତ୍ତି ପ୍ରକାଶ ପରେ ବି ଲଗାତାର ବିଦେଶୀ ନେତାଙ୍କ ବୟାନବାଜି ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କାନାଡାର ଉଚ୍ଚାୟୋଗଙ୍କୁ ତଲବ କରାଯାଇଥିଲା ଓ କୁହାଯାଇଥିଲା ଯେ, କାନାଡାର ପ୍ରଧାନମନ୍ତ୍ରୀ, କିଛି କ୍ୟାବିନେଟ୍ ମନ୍ତ୍ରୀ ଓ ସାଂସଦଙ୍କ ପକ୍ଷରୁ ଭାରତର କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଅଯଥା ବୟାନବାଜି କରାଯାଉଛି, ଯାହାକୁ ସ୍ଵୀକାର କରାଯାଇ ପାରିବ ନାହିଁ। ଯଦି ଏମିତି ଜାରି ରହେ ତେବେ ଭାରତ ଓ କାନାଡା ସଂପର୍କରେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।