ନୂଆଦିଲ୍ଲୀ ୦୫/୦୧ : ଆସନ୍ତା ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ ବୋରିସ୍ ଜନସନ୍ । ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି ।
ବ୍ରିଟେନ୍ ପ୍ରଶାସନକୁ ସୂଚନା ଦେଇ ଜନସନ୍ କହିଛନ୍ତି, ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏବାବଦରେ କଥା ହେବା ପରେ ଭାରତ ଗସ୍ତକୁ ବାତିଲ କରାଯାଇଛି । ଏହା ସହ ଭାରତ ନଆସିପାରିବାରୁ ଦୁଃଖ ବ୍ୟକ୍ତ କରିଛନ୍ତି ବୋରିସ୍ ଜନସନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ନେଇ ଜନସନ୍ କହିଛନ୍ତି, ଯେଉଁଭଳି ଭାବେ ବ୍ରିଟେନ୍ରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି ତାହାକୁ ଆଖିଆଗରେ ରଖି ବ୍ରିଟେନରେ ଲୋକମାନଙ୍କ ସହ ରହିବା ହିଁ ଠିକ ହେବ ।
ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବ୍ରିଟେନ୍ରେ ନୂଆ କରୋନା ଷ୍ଟ୍ରେନ୍କୁ ଦେଖି ପୁଣି ଥରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ସହ ଫେବୃୟାରୀ ମାସ ଯାଏଁ ଦେଶରେ ଲକଡାଉନ୍ ଜାରି ରହିବ ବୋଲି ବୋରିସ୍ ସୂଚନା ଦେଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ଏହା ଦେଶ ପାଇଁ ଅତ୍ୟନ୍ତ କଠିନ ସମୟ । ଦେଶରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନଙ୍କୁ ଲକଡାଉନ୍ ସମୟରେ ଘରେ ହିଁ ରହିବାକୁ ପଡିବ । କେବଳ ଜରୁରୀ କାମ ପାଇଁ ବାହାରକୁ ଯିବା ପାଇଁ ଅନୁମତି ମିଳିବ ।