ଭୁବନେଶ୍ବର ୧ ନମ୍ବର ହାଟ ବନ୍ଦ: ପାର୍କିଂ, ଜବରଦଖଲ ଭଳି ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀ ସଂଘର ଦାବି
29/09/2023 at 8:19 PM

ଭୁବନେଶ୍ବର: ବନ୍ଦ ହେଲା ଭୁବନେଶ୍ବର ୧ ନମ୍ବର ହାଟ । ଏବେ ୨ ନମ୍ବର ମାର୍କେଟ ପରି ଏଠାରେ ମଧ୍ୟ ଦେଖାଦେଇଛି ସମାନ ପରିସ୍ଥିତି। ପାର୍କିଂ, ଜବରଦଖଲ ଉଚ୍ଛେଦ ଭଳି ସମସ୍ୟାକୁ ନେଇ ଗୁରୁବାର ଠାରୁ ବନ୍ଦ ରହିଛି ହାଟ । ପ୍ରତ୍ୟକ ଦିନ ହଜାର ହଜାର ଗ୍ରାହକ ସାମଗ୍ରୀ କିଣିବିକା ପାଇଁ ଏହି ହାଟ ଉପରେ ନିର୍ଭର କରିଥାନ୍ତି। ଆଉ ଏଭଳି ବନ୍ଦ ଫଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହୁଏ ତେବେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ବ୍ୟବସାୟୀ ସଂଘ।
ବ୍ୟବସାୟୀଙ୍କ ଅଭିଯୋଗ କରିଛନ୍ତି ପାର୍କିଂ ପାଇଁ ଜାଗା ନଥିବାକୁ ମାର୍କେଟକୁ ଆସୁନାହାନ୍ତି ଗ୍ରାହକ। ଫଳରେ ଦୋକାନୀ ମାନଙ୍କୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ଆଉ ଯଦିବି କେହି ଗ୍ରାହକ ରାସ୍ତାରେ ଗାଡ଼ି ରଖି ଆସୁଛନ୍ତି ତେବେ ଟ୍ରାଫିକ୍ ପୋଲିସ୍ ତାଙ୍କ ଗାଡ଼ିକୁ ଉଠାଇ ନେଉଛି । ତେଣୁ ଟ୍ରାଫିକ୍ ପୋଲିସ୍ ଓ ହେଭି ଫାଇନ୍ କୁ ଭୟ କରି ଆଉ କେହି ଗ୍ରାହକ ଆସୁନାହାନ୍ତି ।
ଆହୁରି ପଢ଼ନ୍ତୁ: ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ଦୁଇ ଦୋକାନୀ ଗୋଷ୍ଠୀ ମୁହାଁମୁହିଁ
ସେପଟେ ସମସ୍ୟାକୁ ନେଇ ୧୪ ଶହରୁ ଅଧିକ ଦୋକାନୀ ବିଏମ୍ସି ଅଫିସ ଆଗରେ ଧାରଣା ଦେବା ସହ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ମଙ୍ଗଳବାର ଆଲୋଚନା କରିବାକୁ ସମୟ ମାଗିଛନ୍ତି କମିଶନର । ଆଲୋଚନାରେ ଟ୍ରାଫିକ୍ ଏସିପି, ବ୍ୟବସାୟୀ ସଂଘ, ଜିଏ ବିଭାଗ ଓ ବିଏମସି ମିଳିତ ଭାବେ ଉପସ୍ଥିତ ରହି ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନ ଉପରେ ଆଲୋଚନା କରିବେ ।
ତେବେ କମିଶନରଙ୍କ କହିବା କଥା ହାଟ ସାମ୍ନାରେ ଥିବା ମଲଟିଲେବୁଲ ପାର୍କିଂରେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପାର୍କିଂ କରିବା ପାଇଁ ବ୍ୟବସ୍ଥା ରହିଛି । ରାସ୍ତା ଉପରେ ଗାଡ଼ି ପାର୍କିଂ କଲେ କଳ୍ପନା ଓ ରାଜମହଲ ଛକ ରାସ୍ତା ଜାମ୍ ହେଉଛି । ସେପଟେ ଏହି ବନ୍ଦର ପ୍ରଭାବ କଞ୍ଚା ପରିବା ଦୋକାନ ଏବଂ ତେଜରାତି ସାମଗ୍ରୀ ଦୋକାନ ଉପରେ ପଡ଼ିବନି ବୋଲି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ ।
ଆହୁରି ପଢ଼ନ୍ତୁ: ୟୁନିଟ-2 ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ, ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ