ଅଧ୍ୟାପକଙ୍କ ନିଆରା ବାହାଘର, ବିବାହରେ ନବ ଦମ୍ପତ୍ତି ବାଣ୍ଟିଲେ ୭ ଶହ ବହି
30/05/2023 at 2:07 PM

ବଲାଙ୍ଗିର ୩୦/୦୫: ଚର୍ଚ୍ଚାରେ ବଲାଙ୍ଗୀର ଜିଲ୍ଲା ଅଧ୍ୟାପକଙ୍କ ବାବାଘର । ବିବାହରେ ବାଣ୍ଟିଲେ ୭ ଶହ ବହି । ବଲାଙ୍ଗୀର ପୁଇନ୍ତଳା ବ୍ଲକ୍ ଅନ୍ତର୍ଗତ ମହୀମୁଣ୍ଡା ଡିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଡ. ଜଗନ୍ନାଥ ସାହୁଙ୍କ ବିବାହୋତ୍ସବକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା । ଆଗରୁ କେହି ଅଧ୍ୟାପକଙ୍କୁ ଚିହିନ୍ନଥିବା ଲୋକେ ଏବେ ଅଧ୍ୟାପକ ଜଣଙ୍କ ବିବାହ ପରେ ରାତାରାତି ପାଲଟିଯାଇଛନ୍ତି ସେଲିବ୍ରିଟି । ନେତା, ଅଭିନେତାଙ୍କ ଭଳି ସେ ଘରେ ଘରେ ଚର୍ଚ୍ଚିତ ।
ବଲାଙ୍ଗିର ସହରଠୁ ୩୦କିମି ଦୂର ରେଙ୍ଗାଲି ଗ୍ରାମରେ ରୁହନ୍ତି ଅଧ୍ୟାପକ ଜଣଙ୍କ । ନା ତାଙ୍କର ଅଧ୍ୟାପକଙ୍କ ଡ. ସାହୁ । ପେଶାରେ ସେ ଜଣେ କବି ତଥା ସାହିତ୍ୟ ଅନୁରାଗୀ । ମେ ୧୭ରେ ବରଗଡ଼ ଜିଲା ତେଲମହୁଏଲ ଗାଁର୍ ହରିହର ସାହୁଙ୍କ ଝିଅ ‘ବେବି’ଙ୍କୁ କରିଛନ୍ତି ବିବାହ । ପୂର୍ବରୁ ନିଜ ବାହାଘରକୁ ସ୍ୱତନ୍ତ୍ର କରିବା ପାଇଁ କରିଥିଲେ ପ୍ରସ୍ତୁତି ।

ଆଉ ଏବେ ସେହି ୬ ମାସର ସ୍ୱପ୍ନକୁ କରିଛନ୍ତି ପୂରଣ । ନିଜ ବାହାଘରକୁ ଆସିଥିବା ନିମନ୍ତ୍ରିତ ଅତିଥିଙ୍କୁ ଉପହାର (ରିଟର୍ଣ୍ଣ ଗିଫ୍ଟ) ସ୍ୱରୂପ ପ୍ରାୟ ଦେଇଛନ୍ତି ୭ଶହ ପୁସ୍ତକ । ସେଥିରୁ ସାହିତ୍ୟ ଏକାଡେମୀ ପ୍ରକାଶିତ କୋସଲୀ କବିତା ସଂକଳନ ‘ଝରିଆଲ୍’ ୧୫୦ଖଣ୍ଡ, ଆଧୁନିକ ସମ୍ୱଲପୁରୀ କବିତା ୧୨୦ଖଣ୍ଡ, ଗଙ୍ଗାଧର ମେହେରଙ୍କ ରଚିତ ‘ତପସ୍ୱିନୀ’ ଓ ‘ପ୍ରଣୟ ବଲ୍ଲରୀ’ ୨ଶହ ଖଣ୍ଡ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ‘ମାଟିର ମଣିଷ’ ୧୨୦ ଖଣ୍ଡ, ଡ.ସନ୍ତୋଷ କୁମାର ରଥଙ୍କ ଲିଖିତ ତଥା ରଚନା ପବ୍ଲିକେସନର ‘ହେତୁ ହେଲା ଦିନୁ’ ପୁସ୍ତକ ୪୦ଖଣ୍ଡ ଏବଂ ନିଜସ୍ୱ ଲିଖିତ ‘ସରିନାହିଁ ପ୍ରେମ’ ୪୦ଖଣ୍ଡ ଏଭଳି ଅନେକ ପୁସ୍ତକ ସେ ଉପହାର ଦେଇଥିଲେ ।

ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସେ ଏଗୁଡ଼ିକୁ ଭୁବନେଶ୍ୱର, କଟକ ଆଦି ସ୍ଥାନରୁ ବିଭିନ୍ନ ପ୍ରକାଶକଙ୍କ ପାଖରୁ ଆଣିଥିଲେ । ନିମନ୍ତ୍ରଣ କାର୍ଡ ସମ୍ପୂର୍ଣ୍ଣ କୋସଲୀ ଭାଷାରେ ଲେଖାଯାଇଥିବା ବେଳେ ଗାଁରେ ପହଞ୍ଚିବାକୁ ଯେମିତି ଅତିଥି ବାଟବଣା ନହେବେ, ସେଥିପାଇଁ ଡ. ସାହୁ କାର୍ଡରେ ଜିପିଏସ କ୍ୟୁଆର କୋଡ୍ର ଲୋଗୋ ଦେଇଥିଲେ । ଯାହା ମୋବାଇଲରେ ସ୍କାନ କରିବା ପରେ ଆପେଆପେ ବାଟ କଢ଼ାଇ ନେଇଥିଲା ।
ସେହିପରି ପରିବେଶ ପ୍ରଦୂଷଣକୁ ନଜରରେ ରଖି ଅନେକ ଆୟୋଜନ ହୋଇଥିଲା । ପ୍ରାୟ ୧ହଜାର ଅତିଥିଙ୍କୁ ନିମନ୍ତ୍ରିତ କରିଥିବାବେଳେ ସେମାନଙ୍କ ଭୋଜିଭାତ କାଗଜ କିମ୍ବା ଥର୍ମୋକୁଲ ଥାଳିର ବ୍ୟବହାର କରିବେ ନାହିଁ ବୋଲି ମନସ୍ଥ କରିଥିଲେ । ସେମାନଙ୍କ ପାଇଁ ଜଙ୍ଗଲ ନିକଟସ୍ଥ ବରଗାଁ, କେରମେଲି ଆଦି ଗାଁଗୁଡ଼ିକରୁ ୮ହଜାର ଶାଳପତ୍ରର ଖଲି ଓ ୧୫ହଜାର ପତ୍ର ସଂଗ୍ରହ କରିଥିଲେ । ସେଥିରେ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା ।
ଅତିଥିଙ୍କ ପାଣି ପିଇବା ପାଇଁ ଅନେକ ବଡ଼ବଡ଼ ମାଠିଆର ବ୍ୟବସ୍ଥା କରିଥିଲେ । ଏହି ବାହାଘର କେବଳ ଏକ ପାରିବାରିକ କାର୍ଯ୍ୟକ୍ରମ ନୁହେଁ ବରଂ ସାହିତ୍ୟର ପ୍ରଚାରପ୍ରସାର ସହ ଗଁଡ଼ା ବଜା, ଖଲିଦନା ଓ ମାଠିଆ ଗଢ଼ୁଥିବା ଲୋକଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ଏକ ପ୍ରୟାସ ଥିଲା ବୋଲି ଡ.ସାହୁ କହିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ନେଇ ସ୍ତ୍ରୀ ବେବିଙ୍କ ସମେତ ଉଭୟ ପରିବାରବର୍ଗ, ଗ୍ରାମବାସୀ, ସାହିତ୍ୟପ୍ରେମୀ ଉତ୍ଫୁଲ୍ଲିତ ହୋଇଛନ୍ତି ।