ସୁଡ଼ଙ୍ଗରେ ଫଶିଥିବା ୪୦ ଶ୍ରମିକଙ୍କୁ ମିଳୁଛି ଆଲୋକ ଓ ପାଣି, କେନ୍ଦ୍ରମନ୍ତ୍ରୀ ବି.କେ. ସିଂହ ଦେଲେ ଉଦ୍ଧାର କାର୍ଯ୍ୟର ବିବରଣୀ

Published By : Prameya-News7 Bureau | November 16, 2023 IST

ଉତ୍ତରକାଶୀ ୧୬।୧୧: ସିଲକ୍ୟାରା ଟନେଲରେ ଚାଲିଥିବା ରେସ୍କ୍ୟୁ ଅପରେସନ ଦେଖିବା ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ବି.କେ. ସିଂହ ଉତ୍ତରକାଶୀ ଗସ୍ତ କରିଥିଲେ। ସେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ବିସ୍ତୃତ ସୂଚନା ପ୍ରାପ୍ତ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ପରେ ପ୍ରସଙ୍ଗରେ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ଗୁରୁବାର ରେସ୍କ୍ୟୁ ଅପରେସନର ପଞ୍ଚମ ଦିନ। ଘଟଣାକୁ ୧୦୦ ଘଣ୍ଟା ବିତିଥିଲେ ମଧ୍ୟ ଟନେଲ ତଳୁ ଶ୍ରମିକ ଉଦ୍ଧାର ହୋଇପାରିନାହାନ୍ତି।

ତେବେ ଗୁରୁବାର ଉତ୍ତରକାଶୀ ଗସ୍ତ କରିଥିବା କେନ୍ଦ୍ରମନ୍ତ୍ରୀ ବି.କେ. ସିଂହ ଟନେଲରେ ଫଶି ରହିଥିବା ଶ୍ରମିକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ରେସ୍କ୍ୟୁ ଅପରେସନ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ବି.କେ. ସିଂହ କହିଛନ୍ତି ଯେ ମାଟି ଅତଡା ଯେଉଁଠାରେ ଖସିଛି ଶ୍ରମିକ ତାର ଅପର ପାର୍ଶ୍ୱରେ ଅଛନ୍ତି। ଶ୍ରମିକମାନେ ଯେଉଁ ୨ କିଲୋମିଟର ଅଞ୍ଚଳରେ ଫଶିଛନ୍ତି ସେଠାରେ ପାଣି, ପବନ ଓ ଆଲୋକ ମଧ୍ୟ ଅଛି। ସେମାନ ନିକଟକୁ ଖାଦ୍ୟ ପହଞ୍ଚାଇ ଦିଆଯାଉଛି ଓ ସେମାନେ ସୁରକ୍ଷିତ ଅଛନ୍ତି।

ଶ୍ରମିକ ରହୁଥିବା ଅଞ୍ଚଳରେ ଅକ୍ସିଜେନର ଅଭାବ ନାହିଁ ତଥାପି ସେମାନଙ୍କୁ ପାଇପ୍ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଇଛି। ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣା ସ୍ଥଳକୁ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଫଶିଥିବା ଲୋକେ ପ୍ରଥମେ ସୁରକ୍ଷିତ ରହନ୍ତୁ ଓ ସେମାନଙ୍କୁ ଯଥାଶୀଘ୍ର ବାହାରକୁ ବାହାର କରାଯାଉ। ଏଥି ପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରହିଛି। ଯାହା ଆଶା କରାଯାଉଛି ଏହି ଉଦ୍ଧାର କାର୍ଯ୍ୟ ଆଉ ୨-୩ ଦିନରେ ଶେଷ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

୯୦ ଘଣ୍ଟା ଟପିଲା ରେସକ୍ୟୁ ଅପରେସନ; ନିରୀକ୍ଷଣ କରିବେ କେନ୍ଦ୍ର ପରିବହନ ଓ ରାଜମାର୍ଗ ରାଷ୍ଟ୍ରମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.