ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ମାମଲା: କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କହିଲେ ଶନିବାର ପୋଲିସରେ ହାଜର ହେବ ପୁଅ, ଜାଣନ୍ତୁ କ'ଣ କହିଲେ ସୁପ୍ରିମକୋର୍ଟ ?

Published By : Prameya-News7 Bureau | October 08, 2021 IST

ଲକ୍ଷ୍ନୌ ୮।୧୦: ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା ମାମଲାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଶନିବାର ପୋଲିସ ସମ୍ମୁଖରେ ହାଜର ହେବ। ଏହି ସୂଚନା ନିଜେ ଅଜୟ ମିଶ୍ର ଶୁକ୍ରବାର ଲକ୍ଷ୍ନୌଠାରେ ଦେଇଛନ୍ତି। ତାଙ୍କ ଦୁଆରେ ପୋଲିସ ଗୁରୁବାର ନୋଟିସ୍ ଲଗାଇଛି। ସେହି ଅନୁସାରେ ସେ ହାଜର ହେବାର ଥିଲା। ହେଲେ ଶାରୀରିକ ଅସୁସ୍ଥତା ହେତୁ ଯାଇ ପାରିନଥିବାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ତାଙ୍କ ବାସଭବନରେ ଅବଧ କ୍ଷେତ୍ରର ସାଂସଦ, ବିଧାୟକ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଡାକିଛନ୍ତି। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଟେନୀ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଘଟଣାରେ ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ଶନିବାର ସେ ପୋଲିସରେ ହାଜର ହୋଇ ନିଜ ନିର୍ଦ୍ଦୋଷତାର ପ୍ରମାଣ ଉପସ୍ଥାପନ କରିବ।

{"id":524287,"width":842,"height":507,"sizeSlug":"full","linkDestination":"none"}

ସେପଟେ ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଧାରାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କୋର୍ଟ ମାମଲାକୁ ନିଜ ଆଡୁ ବିଚାରଲାଗି ଗ୍ରହଣ କରିଥିବା ବେଳେ ଆମ ଦେଶରେ ପୋଲିସ କେବେଠୁ ହତ୍ୟା ଅପରାଧୀ ଘରକୁ ନୋଟିସ୍ ପଠାଇ ପଚରାଉଚରା ଲାଗି ଡାକୁଛି ବୋଲି ରାଜ୍ୟ ସରକାରଙ୍କୁ ପଚାରିଥିଲେ। ଏହାର ଜବାବରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ହରିଶ ସାଲଭେ ଘଟଣାର ପୋଷ୍ଟମର୍ଟମ ରିପୋର୍ଟରେ ଗୁଳି କି ଘାର କୌଣସି ଚିହ୍ନ ନଥିଲା ଏଣୁ ପୋଲିସ ଅଭିଯୁକ୍ତଙ୍କୁ ପଚରା ଉଚରା ଲାଗି ଥାନାରେ ହାଜର ହେବାକୁ କେବଳ ନୋଟିସ୍ ପଠାଇଥିଲା ବୋଲି କହିଛନ୍ତି।

ତେବେ ସରକାରୀ ଓକିଲଙ୍କ ଜବାବ କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଏଥିରେ କାର୍ଯ୍ୟାନୁଷ୍ଠାନ ବାବଦେ କୋର୍ଟ ପଚାରିବାରୁ ଯଦି ଅଭିଯୁକ୍ତ ନୋଟିସରେ ନ ଆସନ୍ତି ତେବେ ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବ ବୋଲି ସାଲେଭ ଦୃଢତାର ସହ କହିଛନ୍ତି। ଏଥିରୁ ପୋଲିସ ହୁଏତ ଶନିବାର ଟେନୀଙ୍କ ପୁଅ ଆଶିଷ ମିଶ୍ର ଓରଫ ମୋନୁକୁ ଗିରଫ କରିପାରେ ବୋଲି ରାଜ୍ୟରେ କଳ୍ପନାଜଳ୍ପନା ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.