ଢେଙ୍କାନାଳରେ କମନ୍ ୟୁଜର୍ସ ଫାସିଲିଟି ତୈଳ ଡିପୋର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | August 28, 2021 IST

ଢେଙ୍କାନାଳ ୨୮।୮: ଢେଙ୍କାନାଳ ଜିଲ୍ଲାର ସଦାଶିବପୁରରେ କମନ୍ ୟୁଜର୍ ଫାସିଲିଟିର ଭୂମିପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ । କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ତେଲି, ସ୍ଥାନୀୟ ଢେଙ୍କାନାଲ ସଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ  ନାୟକ, ଓଡ଼ପଡା ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ବିପିସିଏଲର ପଦାଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ସଦାଶିବପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୪୨,୦୦୦ କିଲୋଲିଟର ଷ୍ଟୋରେଜ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ତୈଳ ଡିପୋ ନିର୍ମାଣ ପାଇଁ ଏହି ଭୂମିପୂଜନ ହୋଇଛି। ଏମଏସ, ଏଚଏସଡି, ଇଥାନଲ ଏବଂ ବାୟୋ-ଡିଜେଲକୁ ଏହି ତୈଳ ଡ଼ିପୋରେ ସଂରକ୍ଷିତ ରଖାଯିବ। ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୩୯୫ କୋଟି ପୁଞ୍ଜିନିବେଶ କରିବ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ । ୨୦୨୩ ଅଗଷ୍ଟ ଶେଷ ଆଡ଼କୁ ପ୍ରକଳ୍ପର କାମ ଶେଷ କରାଯିବାର ଲକ୍ଷ୍ୟ ରହିଛି।

ଏହି ପ୍ରକଳ୍ପ ଦ୍ବାରା ପାରାଦୀପ ଟର୍ମିନାଲରୁ ପେଟ୍ରୋଲିୟମ ସାମଗ୍ରୀ ବାରମ୍ବାର ପରିବହନ କରିବାକୁ ପଡ଼ିବ ନାହିଁ । କମନ୍ ୟୁଜର ଫାସିଲିଟିରୁ ସିଧାସଳଖ ପେଟ୍ରୋଲିୟମ ଉତ୍ପାଦ ପରିବହନ ହେବା ଦ୍ବାରା ପରିବହନ ଖର୍ଚ୍ଚ ହ୍ରାସ ହେବ ବୋଲି ଜଣାପଡିଛି । ଏହାଦ୍ବାରା ଅନୁଗୋଳ, କେନ୍ଦୁଝର, ଦେବଗଡ଼ ଏବଂ ଢ଼େଙ୍କାନାଳ ଜିଲ୍ଲା ଏହି ପ୍ରକଳ୍ପ ଦ୍ବାରା ବିଶେଷ ଉପକୃତ ହେବେ ବୋଲି ଜଣାପଡିଛି । ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନା କାମରେ ପ୍ରାୟ ୨ ଲକ୍ଷ ମାନବ ଦିବସ ସୃଷ୍ଟି  ଏବଂ ବ୍ୟବସାୟ ସହ ସ୍ଥାନୀୟ ଅଂଚଳରେ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏହି ପ୍ରକଳ୍ପ ତଥା ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଲ ଆର ଜୈନ୍ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.