ଚଣ୍ଡିଖୋଲ/ବାଲିକୁଦା-ଏରସମା: ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରରେ ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ଏଥିସହ ‘‘ବିଜେପିର ବିଜୟ ବାନାକୁ ଅଟକାଇବା ପାଇଁ ଧର୍ମଶାଳାରେ ଗେରୁଆ ରଙ୍ଗର କିଛି ନୀଳବର୍ଣ୍ଣ ଶୃଗାଳ ବୁଲୁଛନ୍ତି। ଅଳ୍ପ ମାସ ତଳେ ଦଳରେ ମିଶି ଷଡ଼ଯନ୍ତ୍ର କରିଛନ୍ତି। ସେମାନଙ୍କୁ ଚିହ୍ନି ରଖିବା ସହ ଆଗାମୀ ନିର୍ବାଚନରେ ଜବାବ ଦେବାକୁ’’ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଜେପି ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରା ଓ ଧର୍ମଶାଳା ବିଧାନସଭା ପ୍ରାର୍ଥୀ ସ୍ମୃତିରେଖା ପହିଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ସମାବେଶରେ ହଜାର ହଜାର ଦଳୀୟ କର୍ମୀ ଯୋଗଦେଇଥିଲେ।
ବାଲିକୁଦା-ଏରସମାରେ ଜନତାଙ୍କୁ ଦେଲେ ପ୍ରତିଶୃତି
ଏହା ପରେ କେନ୍ଦ୍ରମନ୍ତ୍ରୀ ବାଲିକୁଦା-ଏରସମାରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି। ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘‘ ବିଜେପି ଆସିଲେ ୨୦୨୯ ପର୍ଯ୍ୟନ୍ତ ମାଗଣା ୫କେଜି ଚାଉଳ ମିଳିବା ଜାରି ରହିବ, ଧାନ କ୍ୟାଣ୍ଟାଲ ୩୧୦୦ ଟଙ୍କା ହେବ, ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କା, ମାଗଣା ପକ୍କା ଘର ଓ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ।
ବାଲିକୁଦା ବିଜେପି କାର୍ଯ୍ୟାଳୟ ନିକଟ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ‘‘ଜଗତସିଂହପୁର ହେଉଛି ବୀର ମାଟି ଓ ମା’ ଶାରଳାଙ୍କ ମାଟି । ହେଲେବି ୨୪ ବର୍ଷ ଭିତରେ ଏ ଅଞ୍ଚଳରେ ପାଣି ନାହିଁ, ମେଡିକାଲରେ ଡାକ୍ତର ନାହାଁନ୍ତି, କାମ ଧନ୍ଦା ନାହିଁ ।’ ତେବେ ରାଜ୍ୟରେ ବିଜେପି ସରକାର ହେଲେ ବାଲିକୁଦା-ଏରସାମ ଅଞ୍ଚଳକୁ ଏକ ଅଗ୍ରଣୀ ଅଞ୍ଚଳ ଭାବରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।