ଉଚ୍ଚ ଶିକ୍ଷାରେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ଶିକ୍ଷା ଓ ଦକ୍ଷତା ବିକାଶର ଭବିଷ୍ୟତ ସୁନିଶ୍ଚିତ କରିବ: ଧର୍ମେନ୍ଦ୍ର ପ୍ରଧାନ
28/03/2023 at 11:17 PM

⭐ଫ୍ୟୁଚର ଅଫ୍ ଲର୍ଣ୍ଣିଂ କୋଲାବରେଟିଭ୍ ଆଲୋଚନା ଚକ୍ରରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
⭐ଭାରତୀୟ ଜନଜୀବନ ଏବଂ ଜ୍ଞାନ ପରମ୍ପରା ‘ସମଗ୍ର’ ବିଷୟ ବସ୍ତୁ ଉପରେ ଆଧାରିତ
⭐ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ ଡିଜାଇନ ଥିଙ୍କିଂର ବଡ଼ ଉଦାହରଣ
ଅହମ୍ମଦବାଦ ୨୮/୦୩: ଦେଶରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଆମ ଶିକ୍ଷା ଓ ଦକ୍ଷତା ବିକାଶର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗୁଜୁରାଟ ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଅନନ୍ତ ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ଭେଟିବା ପରେ ଆୟୋଜିତ ‘ଫ୍ୟୁଚର ଅଫ୍ ଲର୍ଣ୍ଣିଂ କୋଲାବରେଟିଭ୍ ଆଲୋଚନା ଚକ୍ର’ରେ ଯୋଗ ଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ହେବ ଜ୍ଞାନର ଶତାବ୍ଦୀ। ଏହି ଶତାବ୍ଦୀ, ଜ୍ଞାନ ମାଧ୍ୟମରେ ସଶକ୍ତ ହେବାର ଶତାବ୍ଦୀ। ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ସମୟରେ ଏହି ବିଚାରବିମର୍ଷ ବିଶ୍ୱ ଆକାଂକ୍ଷା ଓ ଶିକ୍ଷାର ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ସହାୟକ ହେବ।
ଭାରତୀୟ ଜନଜୀବନ ଏବଂ ଜ୍ଞାନ ପରମ୍ପରା ‘ସମଗ୍ର’ ବିଷୟବସ୍ତୁ ଉପରେ ଆଧାରିତ। ଆଧୁନିକ ସମୟରେ ସାମଗ୍ରିକ ଚିନ୍ତନ ଭାରତୀୟ ପରମ୍ପରାର ଅଭିବ୍ୟକ୍ତି। ଡିଜାଇନ ଥିଙ୍କିଙ୍ଗ୍ ଆଜି ଆମକୁ ଭାରତୀୟ ପରମ୍ପରା ମାଧ୍ୟମରେ ମାନବ କଲ୍ୟାଣକୁ ପୁର୍ନଜୀବିତ କରିବା ପାଇଁ ପୁଣି ଥରେ ସୁଯୋଗ ଦେଇଛି। ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଦ୍ୱାରା ଆମେ ଶହ ଶହ ଶତାବ୍ଦୀ ପୁରୁଣା ପରମ୍ପରା ‘ଆଇଡିଏଟ୍, କ୍ରିଏଟ୍ ଏବଂ ଟେଷ୍ଟ୍’ ସାହାଯ୍ୟରେ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ପୁନଃକଳ୍ପନା କରୁଛୁ। ଏହା ସହ ଶିକ୍ଷାକୁ ଅଭ୍ୟାସଗତ ଓ ମାନବ କେନ୍ଦ୍ରୀକ କରିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ଶତପ୍ରତିଶତ କ୍ରିୟାନ୍ୱୟନ ଶାସନ ବ୍ୟବସ୍ଥାରେ ଡିଜାଇନ ଥିଙ୍କିଙ୍ଗ୍ର ବଡ଼ ଉଦାହରଣ। ଏହି ଆଲୋଚନା ଚକ୍ର ଶିକ୍ଷାର ସାର୍ବଜନୀନ ଉଦ୍ଦେଶ୍ୟକୁ ଶିକ୍ଷା ଗ୍ରହଣ ଓ ଆର୍ଥିକ ବିକାଶର କେନ୍ଦ୍ରବିନ୍ଦୁ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଛନ୍ତି।