ମା ତାରାତାରିଣୀଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇଜର୍ ସ୍ଥାୟୀ କ୍ୟାମ୍ପସର ଛାତ୍ରାବାସର କଲେ ଉଦଘାଟନ

Published By : Prameya-News7 Bureau | July 10, 2022 IST

ବ୍ରହ୍ମପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାରାତାରିଣୀ ପୀଠରେ ମାଆଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଥିଲେ।  ଏହାପରେ ବ୍ରହ୍ମପୁରଠାରେ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ଛାତ୍ରାବାସ ଉଦଘାଟନ କରିଥିଲେ । ଦଳୀୟ କର୍ମକର୍ତ୍ତାଙ୍କ ସମାବେଶରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ ।

ଦିନିକିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଗସ୍ତ ଆରମ୍ଭ କରିଥିଲେ ମାଆ ତାରାତାରିଣୀଙ୍କ ଦର୍ଶନରୁ । ତାରାତାରିଣୀ ପାହାଡ଼ ଉପରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରି ଦଳୀୟ କର୍ମୀ ଏବଂ  ସମର୍ଥକମାନେ ସ୍ବାଗତ କରିଥିଲେ। ମାଆ ତାରାତାରିଣୀଙ୍କ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଥିଲେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଆଙ୍କୁ ଦର୍ଶନ କରି ଆନନ୍ଦ ପ୍ରକାଶ କରିଥିଲେ ଧର୍ମେନ୍ଦ୍ର ।

ତାରାତାରିଣୀଙ୍କ ଦର୍ଶନ ପରେ ବ୍ରହ୍ମପୁର ନିକଟ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ପହଞ୍ଚି ପ୍ରଥମ ଛାତ୍ରାବାସକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ୨୦୧୯ ସେପ୍ଟେମ୍ବରରେ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୪୯କୋଟି ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଛାତ୍ରାବାସ କାମ ତିନି ବର୍ଷ ମଧ୍ୟରେ ସରିଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ଜାହିର କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ଲକ୍ଷ୍ୟ ରଖିଥିବା ଧର୍ମେନ୍ଦ୍ର କହିଛନ୍ତି । ଆଇଜର୍ କ୍ୟାମ୍ପସ୍ ପରିସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । 

ଆଇଜର କ୍ୟାମ୍ପସ କାର୍ଯ୍ୟକ୍ରମ ପରେ ଗୋଳନ୍ଥରା ନିକଟ ଇଶାଣେଶ୍ବର ମନ୍ଦିର ନିକଟରେ ଆୟୋଜିତ କର୍ମକର୍ତ୍ତା ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା କର୍ମକର୍ତ୍ତା ସମାବେଶ ନୁହେଁ ବରଂ ବନ୍ଧୁମିଳନ ବୋଲି କହିଥିଲେ ଧର୍ମେନ୍ଦ୍ର । କରୋନା ସମୟରେ ଭେଟଘାଟ ହୋଇନଥିଲା, ଆଜି ଭେଟ ହୋଇଥିବାରୁ ବହୁତ ଖୁସି ଲାଗୁଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ଆଗାମୀ  ୨୫ ବର୍ଷ, ଅମୃତ କାଳ ହେବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଥିବା ଧର୍ମେନ୍ଦ୍ର କହିଛନ୍ତି ।

ଓଡିଆର ଜଣେ ଆଦିବାସୀ ମହିଳାଙ୍କ ରାଷ୍ଟ୍ରପତି ପ୍ରାର୍ଥୀ କରି ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଥିବା ଧର୍ମେନ୍ଦ୍ର କହିଛନ୍ତି । ଓଡିଶା ସରକାର ଜମି ଯୋଗାଇ ଦେଲେ ବ୍ରହ୍ମପୁରରେ ବିମାନ ବନ୍ଦର ନିଶ୍ଚିତ ଭାବେ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାର ଘରେ ଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମାଆ ତାରାତାରିଣୀଙ୍କ ଦର୍ଶନ ଏବଂ ବନ୍ଧୁ ମିଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ଜାହିର କରିଥିଲେ । ଗଞ୍ଜାମ ଗସ୍ତ ସମୟରେ ଜିଲ୍ଲାରେ ବିକାଶମୂଳକ କାମ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.