ନୂଆଦିଲ୍ଲୀ/ଭୁବନେଶ୍ୱର: ବଜାରର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ ପାଇଁ ଦରକାର ଥିବା ଦକ୍ଷତା ଉପରେ ମ୍ୟାପିଂ ହେବା ଦରକାର । ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ଆମେ ସ୍କିଲ୍ ଦୂରତାକୁ ହ୍ରାସ କରିପାରିବା ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସ୍କିଲ୍ ପ୍ରତିଯୋଗିତାରେ ୨୫ ଲକ୍ଷ ଲୋକଙ୍କୁ ଯୋଡ଼ିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଭାରତକୁ ବିକଶିତ କରିବାକୁ ହେଲେ ସମସ୍ତଙ୍କୁ ସ୍କିଲ୍ କରିବାକୁ ହେବ । ଭାରତ ହେଉଛି ଯୁବଶକ୍ତିର ଦେଶ । ଯୁବବର୍ଗଙ୍କୁ ସ୍କିଲଡ୍ ନ କଲେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ତେଣୁ ଶିଳ୍ପ, ଶିକ୍ଷାନୁଷ୍ଠାନ ସହ ମିଳିତ ଭାବରେ ସମସ୍ତଙ୍କ କମ୍ପିଟାନ୍ସିଂ ବା ସାମର୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ।’
ଆହୁରି ପଢ଼ନ୍ତୁ: ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସ୍ୱାକ୍ଷରିତ ହେଲା ଏନଏସଡିସି-କୋକା କୋଲା ବୁଝାମଣା ଚୁକ୍ତି
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ବେରୋଜଗାରୀ ହ୍ରାସ ପାଇଛି । ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । କ୍ରମାଗତ ଭାବରେ କର୍ମ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢୁଛି । ସମସ୍ତଙ୍କୁ ବିଶେଷ ଭାବରେ କର୍ମ କ୍ଷେତ୍ରରେ ଥିବା ସବୁ ଗ୍ରୁପର ଲୋକମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରାଇବାକୁ ପଡ଼ିବ ।
ଛାତ୍ରଛାତ୍ରୀଙ୍କ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ରୁଚି ଅଛି । ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପସନ୍ଦ ଅନୁସାରେ ସେମାନଙ୍କର ପାଠପଢା ହେବା ଉଚିତ୍ । ପାଠପଢା ଏବଂ କର୍ମକ୍ଷେତ୍ରରେ ଉଭୟ କ୍ଷେତ୍ରରେ ଦକ୍ଷତା ବିକାଶ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ଓ୍ୱାର୍ଲଡ୍ ସ୍କିଲ୍ସ ୨୦୨୨ର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।
ଆହୁରି ପଢ଼ନ୍ତୁ: ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ବାଧ୍ୟତାମୁଳକ ନୁହେଁ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ