ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁଦାୟିତ୍ୱ; କର୍ଣ୍ଣାଟକ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ବିଜେପି

Published By : Prameya-News7 Bureau | February 04, 2023 IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ବିଜେପି। ରାଜ୍ୟରେ ନିର୍ବାଚନ ଆସୁଥିବାରୁ ବିଜେପି ଧର୍ମେନ୍ଦ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି। ଧର୍ମେନ୍ଦ୍ରଙ୍କ ସହ ତାମିଲନାଡୁ ବିଜେପି ଅଧ୍ୟକ୍ଷ. କେ. ଆନ୍ନାମଲାଇଙ୍କୁ କର୍ଣ୍ଣାଟକ ନିର୍ବାଚନ ଉପପ୍ରଭାରୀ ନିଯୁକ୍ତ କରାଯାଇଛି।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉଭୟ ନେତାଙ୍କୁ କର୍ଣ୍ଣାଟକ ଦାୟିତ୍ୱ ଦେଇଛନ୍ତି। ଏନେଇ ବିଜେପି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍‌ରେ ଲେଖା ହୋଇଛି। "ଆଗକୁ କର୍ଣ୍ଣାଟକ ନିର୍ବାଚନ ଥିବାରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇଙ୍କୁ କର୍ଣ୍ଣାଟକ ପ୍ରଭାରୀ ନିଯୁକ୍ତ କରିଛନ୍ତି।"

wp:html /wp:html

ଉତ୍ତର ପ୍ରଦେଶ ନିର୍ବାଚନରେ ସଫଳତାର ସହ ଦାୟିତ୍ୱ ସମ୍ପାଦନ କରିବା ପରେ କେନ୍ଦ୍ର ନେତୃତ୍ୱଙ୍କର ଧର୍ମେନ୍ଦ୍ରଙ୍କ ଉପରେ ଭରସା ବଢ଼ିଛି। ଏଥିପାଇଁ ତାଙ୍କୁ ଗୋଟିଏ  ପରେ ଗୋଟିଏ ଗୁରୁ ଦାୟିତ୍ୱ ଦିଆଯାଉଛି। ଏବେ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ଦାୟିତ୍ୱ ଦେଇଛି ବିଜେପି। ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ରାଜ୍ୟର ନିର୍ବାଚନ କାର୍ଯ୍ୟ ତଦାରଖ କରିବେ ବୋଲି ବିଜେପି କହିଛି।

ଗତବର୍ଷ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପି ବହୁ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ଅନ୍ୟ ନେତାଙ୍କ ସହ ଧର୍ମେନ୍ଦ୍ର ବି ରାଜ୍ୟର ନିର୍ବାଚନ ଦାୟିତ୍ୱରେ ଥିଲେ। ବିଜେପିର ପୂର୍ବତନ ମହାସଚିବ ଧର୍ମେନ୍ଦ୍ର ପ୍ରଧାନ କେବଳ ୟୁପି ନୁହେଁ, ୨୦୧୩ରେ ଉତ୍ତରାଖଣ୍ଡ, ଝାରଖଣ୍ଡ, କର୍ଣ୍ଣାଟକ ଓ ବିହାର ବିଧାନସଭା ନିର୍ବାଚନରେ ଗୁରୁଦାୟିତ୍ୱ ତୁଲାଇଥିଲେ। ସେହିପରି ୨୦୧୫-୧୦୧୮ରେ ଯଥାକ୍ରମେ ଆସାମ ଓ ମଧ୍ୟ ପ୍ରଦେଶରେ ମଧ୍ୟ  ବିଜେପି ପ୍ରଭାରୀ ଦାୟିତ୍ୱ ତୁଲାଇ ସଫଳତା ପାଇଛନ୍ତି ଧର୍ମେନ୍ଦ୍ର।

ସୂଚନା ଥାଉକି ଚଳିତ ବର୍ଷ ଏପ୍ରିଲ-ମେ ମାସରେ କର୍ଣ୍ଣାଟକ ନିର୍ବାଚନ ହେବାର ସମ୍ଭାବନା ରହିଛି। ବିଜେପି ଏବେଠୁ ଦକ୍ଷ ନେତାଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ବି ଭୋଟ ହାତେଇବାକୁ ଜୋର୍‌ସୋର୍‌ରେ ପ୍ରୟାଶ ଆରମ୍ଭ କରି ଦେଇଛି। କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମେୟା ରାଜ୍ୟରେ ପଦ ଯାତ୍ରା ଆରମ୍ଭ କରିଦେଇଛନ୍ତି। ଶୁକ୍ରବାର ଠାରୁ ରାଜ୍ୟରେ ପ୍ରଜାଯାତ୍ରା ଆରମ୍ଭ କରି କଂଗ୍ରେସ ସମର୍ଥନରେ ଲୋକଙ୍କୁ ଏକାଠି କରୁଛି ଦଳ। ତା ସହ ଗୋଟିଏ ପରେ ଗୋଟିଏ ମାଗଣା ଅଫର ଦେଇ ଲୋକଙ୍କୁ ଲୋଭ ଦେଖାଇବାକୁ କଂଗ୍ରେସ ଉଦ୍ୟମ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.