ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଚଢାଇବା ଘଟଣା, ଧର୍ମେନ୍ଦ୍ରଙ୍କ ନିନ୍ଦା, କହିଲେ-ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍ ହେବ

Published By : Prameya-News7 Bureau | March 12, 2022 IST

ନୂଆଦିଲ୍ଲୀ ୧୨/୦୩:  ଶନିବାର ବାଣପୁର ବ୍ଲକ ସମ୍ମୁଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କୁ ଗାଡି ମଡାଇବା ଘଟଣାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ କହିବା ସହ ଆହତ ଓ ସଙ୍କଟାପନ୍ନ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ‘ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ । ଘଟଣାରେ ଆହତ ଓ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରୁଛି’।

ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡ଼ି ଚଲାଇ ଗାଡ଼ି ଚଢ଼ାଇବା ସମ୍ଭବତଃ ଓଡ଼ିଶାରେ ପ୍ରଥମ । ଏହି ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍ ହେବ । ରାଜ୍ୟ  ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ’।

ଉଲ୍ଲେଖଯୋଗ୍ୟ ଯେ ବିଜେଡିରୁ ନିଲମ୍ୱିତ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଚଢାଇ ଦେଇଥିଲେ । ଏଥିରେ ୨୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଲୋକଙ୍କ ଆକ୍ରୋଶର ହେଲେ ବାହୁବଳୀ ବିଧାୟକ । ଉତ୍ୟକ୍ତ ଲୋକେ ବିଧାୟକଙ୍କୁ  ନିଘାତିଆ ଛେଚିଲେ, ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଶାନ୍ତଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.