ସଙ୍ଗଠନକୁ ମଜଭୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ; ୩ ଦିନିଆ ଯାଜପୁର ଗସ୍ତସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା
11/09/2022 at 8:47 PM

ଚଣ୍ଡିଖୋଲ ୧୧/୦୯: ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରିଛନ୍ତି। ରବିବାର ବଡ଼ଚଣାରେ ସ୍ୱାଧୀନତା ସଂଗ୍ରାମି ନୀଳମଣି ସାମଲଙ୍କୁ ସାକ୍ଷାତ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେଠାରୁ ଆସି ବୁଢ଼ାକେନ୍ଦୁଆରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପିର କର୍ମକର୍ତ୍ତା, ଜିଲ୍ଲା ସଭାପତିଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଦଳୀୟ ସଂଗଠନ ବିଷୟରେ ଆଲୋଚନା କରି ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିଥିଲେ। ଜିଲ୍ଲାରେ ତିନି ଦିନିଆ ଗସ୍ତକୁ ନେଇ ବିଜେପି ପକ୍ଷରୁ ଚଣ୍ଡିଖୋଲରେ ଏକ ସାମ୍ବାଦିକ ସମିଳନୀ ଆୟୋଜନ ହୋଇଥିଲା।

ଜିଲ୍ଲାରେ ଦଳୀୟ କାର୍ଯ୍ୟକତ୍ତାଙ୍କ ସହ ଆଲୋଚନା କରିବା ସହ ଦଳକୁ ତୃଣମୂଳ ସ୍ତରରେ ଆହୁରି ସଂଗଠିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଥିଲେ। ଆଦିବାସୀମାନେ କିଭଳି ନିଜ ହକ ପାଇବେ ସେଥିପାଇଁ କେନ୍ଦ୍ର ସରକାର ସବୁବେଳେ ସେମାନଙ୍କୁ ଅଗ୍ରାଧିକାର ଦେଇ ଆସୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆହୁରି ସାମ୍ବାଦିକ ସମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତିଯେ ”ଆଗାମୀ ଦିନରେ ପ୍ରତ୍ୟକ ଲୋକ କେନ୍ଦ୍ର ଯୋଜନାର ସୁଫଳ ପାଇବେ ସେଥିପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିବା ଦରକାର। ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବା ବେଳେ ଆଗାମୀ ୧୦୦ ବର୍ଷ ପାଇଁ ଦେଶରେ ଶିକ୍ଷା, ଅର୍ଥନୀତି, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ମଜବୁତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି”।