ଦିଲ୍ଲୀ କଂଝାବାଲା କାଣ୍ଡରେ ଗୃହମନ୍ତ୍ରାଳୟଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, PCRରେ ମୁତୟନ କନଷ୍ଟେବଲ ନିଲମ୍ବିତ
12/01/2023 at 9:03 PM

ନୂଆଦିଲ୍ଲୀ ୧୨।୧: କଂଝାବାଲା କେସ୍ରେ କେନ୍ଦ୍ର ଗୃହମନ୍ତ୍ରାଳୟ ଦିଲ୍ଲୀ ପୋଲିସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପୋଲିସକୁ ୩ ଖାସ୍ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଘଟଣା ବେଳେ ମୁତୟନ ଥିବା ପିସିଆର ଓ ସେଥିରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରାଯାଇଛି। ଏହି ପିସିଆର ଭ୍ୟାନଙ୍କ ସଂଖ୍ୟା ୩ , ଏହା ସହ ଡିସିପିଙ୍କୁ ମଧ୍ୟ ଜବାବ ତଲବ କରାଯାଇଛି।

ସୂଚନା ଅନୁସାରେ ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶାନୁସାରେ ଦିଲ୍ଲୀ ପୋଲିସ ଏ ବାବଦେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟ ମିଳିବା ପରେ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ପୋଲିସ ପିସିଆରରେ ମୁତୟନ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ସମୟରେ ଏହି ଘଟଣା ଘଟିଲା ସେହି ସମୟରେ ଅଞ୍ଚଳର ଡିସିପିଙ୍କୁ ଆଇନଶୃଙ୍ଖଳା ବ୍ୟବସ୍ଥାରେ କଣ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେ ନେଇ ଜବାବ ଦେବାକୁ କୁହାଯାଇଛି। ଯଦି ମାମଲାରେ ଡିସିପି ଉପଯୁକ୍ତ ଜବାବ ଦେଇ ନ ପାରନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଗୃହମନ୍ତ୍ରାଳୟ ଅନ୍ୟ ଏକ ନିର୍ଦ୍ଦେଶରେ ଘଟଣାସ୍ଥଳ ଆଖପାଖରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା କରିବାକୁ ମଧ୍ୟ କହିଛନ୍ତି। ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଶାଲିନୀ ସିଂହଙ୍କ ରିପୋର୍ଟ ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଦିଲ୍ଲୀ ପୋଲିସ କମିସନରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ଗୃହମନ୍ତ୍ରାଳୟ ସମ୍ବଦ୍ଧିତ ବିଭାଗକୁ ଦିଲ୍ଲୀର ଜନଶୂନ୍ୟ ଅଞ୍ଚଳରେ ଓ ବାହ୍ୟ ଦିଲ୍ଲୀରେ ସିସିଟିଭି ଇଂଷ୍ଟଲ କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଝାବାଲା ଘଟଣା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଗୃହମନ୍ତ୍ରାଳୟ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଥିଲେ।