କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ପୂଜା ଉପହାର, ୪% ବଢ଼ିଲା ମହଙ୍ଗା ଭତ୍ତା

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ ୨୮।୯: ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇସାରିଲାଣି। ଏଥିରେ କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଉପହାର ମିଳିଛି। ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ପ୍ରସ୍ତାବର ମୋହର ଲଗାଇଛନ୍ତି। ଏଣୁ କର୍ମଚାରୀଙ୍କୁ ମିଳୁଥିବା ମାସିକ ବେତନରେ ଏବେ ଅଭିବୃଦ୍ଧି ଦେଖିବାକୁ ମିଳିବ।

କ୍ୟାବିନେଟ୍ ବୈଠକରେ ଲାଗିଲା ମୋହର
କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅଫ ଇକୋନମିକ ଆଫେୟର୍ସ (ସସିଇଏ) ବୈଠକରେ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ମିଳିଛି। ଦେଶରେ ଜାରି ମୂଲ୍ୟ ବୃଦ୍ଧିରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବେଶ କିଛି ଦିନରୁ  ଚାଲିଥିବା ଚର୍ଚ୍ଚାରେ ବିରାମ ଲାଗିଛି।

୩୪ରୁ ବଢ଼ି ୩୮% ହେଲା ଡିଏ
ଏହା ପୂର୍ବରୁ ସରକାର ଗତ ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ। ଏହି ବୃଦ୍ଧି କର୍ମଚାରୀଙ୍କୁ ୧ ଜାନୁୟାରୀ ୨୦୨୨ରୁ ପିଛଲା ଭାବେ ମିଳିଥିଲା। ଏହି ବୃଦ୍ଧି ଯୋଗୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ବଡି ୩୪ ପ୍ରତିଶତ ହୋଇଥିଲା। ଏବେ ଏଥିରେ ଆହୁରି ୪ ପ୍ରତିଶତ ବୃଦ୍ଧି ହେବା ଯୋଗୁ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ପହଞ୍ଚିଛି। ମହଙ୍ଗା ଭତ୍ତା ବୃଦ୍ଧିର ସିଧା ପ୍ରଭାବ  କର୍ମଚାରୀଙ୍କ ବେତନରେ ଦେଖିବାକୁ ମିଳିବ।

୫୦ଲକ୍ଷ କର୍ମଚାରୀ ୬୫ଲକ୍ଷ ପେନସନର ହେବେ ଉପକୃତ
ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଦେଶର ୫୦ ଲକ୍ଷ କର୍ମଚାରୀ ଓ ୬୫ଲକ୍ଷ ପେନସନରଙ୍କୁ ଉପକୃତ କରିବ। ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଡିଏ ସେମାନଙ୍କ ସାଲାରୀ ଷ୍ଟ୍ରକ୍ଚରରେ ଅଂଶ ହୋଇଥାଏ। ସେହିପରି ପେନସନରଙ୍କୁ ସେମାନଙ୍କ ଡିଆରରେ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.