ବର୍ଷରେ ୨ ଥର ହେବ ବୋର୍ଡ ପରୀକ୍ଷା, କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ ଏ ବର୍ଷ ନୁହେଁ ଆଗାମୀ ଶିକ୍ଷାବର୍ଷରୁ ହେବ ଲାଗୁ

Published By : Prameya-News7 Bureau | February 22, 2024 IST

ରାଞ୍ଚି ୨୨।୨: ଦେଶରେ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଗଲାଣି। ଏଥିରେ ଏବେ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଓଡିଶା ବୋର୍ଡ, ବେଙ୍ଗଲ ବୋର୍ଡ ସହିତ ଅନେକ ରାଜ୍ୟ ବୋର୍ଡର ୧୦ମ ଓ ଦ୍ୱାଦଶ ପରୀକ୍ଷା ଚାଲିଛି। ଏଥି ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା ଆୟୋଜନ ହେବ ବୋଲି ପୁଣି ଥରେ ଘୋଷଣା କରିଛନ୍ତି। ଛତିଶଗଡରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଶିକ୍ଷାବର୍ଷ ଅର୍ଥାତ ୨୦୨୫-୨୬ରୁ ଛାତ୍ରଛାତ୍ରୀଙ୍କୁ ବର୍ଷରେ ଦୁଇଥର ବୋର୍ଡ ପରୀକ୍ଷାରେ ବସିବାର ସୁଯୋଗ ମିଳିବ।

ପ୍ରଧାନ ସ୍ପଷ୍ଟ କରିଦେଇଛନ୍ତି ଯେ ଏବେ ଯେପରି ବୋର୍ଡ ପରୀକ୍ଷା ହେଉଛି ଠିକେ ସେହିପରି ହେବ, ତେବେ ଆଗାମୀ ଶିକ୍ଷାବର୍ଷରୁ ୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ଫଳରେ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଭୟର ଭାବନା ଦୂର ହୋଇପାରିବ। ଏହା ଦ୍ୱାରା ଛାତ୍ରଛାତ୍ରୀ ସେମାନଙ୍କ ସର୍ବୋତ୍ତମ ମାର୍କ ହାସଲ କରିବାରେ ସକ୍ଷମ ହେବେ।

{"id":912426,"sizeSlug":"full","linkDestination":"none"}

କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ଛାତ୍ର ଓ ଅଭିଭାବକଙ୍କୁ ଆଶ୍ୱସ୍ତି ମିଳିଛି, ଯେଉଁମାନେ ବର୍ଷରେ ଦୁଇଥର ବୋର୍ଡ ପରୀକ୍ଷା ଘୋଷଣା ଯୋଗୁ କନଫ୍ୟୁଜନରେ ଥିଲେ। ସେମାନେ ଜାଣି ପାରୁନଥିଲେ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା ନିୟମ ଚଳିତବର୍ଷ ଲାଗୁ ହେବ କି ଆଗାମୀ ବର୍ଷ ହେବ। ତେବେ ଧର୍ମେନ୍ଦ୍ର ପ୍ରଧାନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ଆଗାମୀ ବର୍ଷ ୧୦ମ ଓ ଦ୍ୱାଦଶ ପରୀକ୍ଷା ଦେବେ ସେମାନଙ୍କୁ ଏହି ସୁଯୋଗ ମିଳିବ। ଏଥିରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ସର୍ବାଧିକ ନମ୍ବର ମାନ୍ୟ ହେବ।

ନୂଆ ଜାତୀୟ ଶିକ୍ଷାନୀତି-୨୦୨୦ (ଏନଇପି)ରେ ଏହି ବ୍ୟବସ୍ଥା କରାଯାଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରୀଛାତ୍ରୀଙ୍କ ମନରେ ପରୀକ୍ଷାକୁ ନେଇ ଭୟ ହ୍ରାସ କରିବା। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟଙ୍କ ପକ୍ଷରୁ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା ଆୟୋଜନ ଘୋଷଣା କରାଯାଇଥିଲା। ଏହା ନ୍ୟୁ କରିକୁଲାର ଫ୍ରେମୱାର୍କ (ଏନସିଏଫ)ରେ କରାଯାଇଛି। ଏନସିଏଫ ଅନୁସାରେ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ପ୍ରଦର୍ଶନ ନିମନ୍ତେ ପର୍ଯ୍ୟାପ୍ତ ସମୟ ଓ ଅବସର ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.