କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଚାଷ ପାଇଁ ୧୪ ହଜାର କୋଟି ଟଙ୍କାର ୭ ଯୋଜନାକୁ ମଞ୍ଜୁରି

Published By : Prameya-News7 Bureau | September 02, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ଦେଶର ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହ ଜଡ଼ିତ ୭ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୪୦୦୦ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଡିଜିଟାଲ କୃଷି ମିଶନ ଏବଂ ଫସଲ ବିଜ୍ଞାନ ପରି ଯୋଜନା ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତି

  • କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୨୮୧୭ କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ମଞ୍ଜୁରି ଦେଇଛି ।
  • ଫସଲ ବିଜ୍ଞାନ ପାଇଁ ୩୯୭୯ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦିଆଯାଇଛି ।
  • କୃଷି ଶିକ୍ଷା ଏବଂ ପରିଚାଳନାକୁ ମଜଭୁତ କରିବା ପାଆଇଁ ୨୨୯୧ କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା ।
  • ମନ୍ତ୍ରିମଣ୍ଡଳରେ ଉଦ୍ୟାନ କ୍ଷେତ୍ରର ବିକାଶ ପାଇଁ ୮୬୦ କୋଟି ଟଙ୍କା ଏକ ଯୋଜନାକୁ ମଞ୍ଜୁରି ଦେଇଛି ।
  • କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଞ୍ଜୁର ହୋଇଛି ।
  • ପ୍ରାକୃତିକ ସଂସାଧନ ପରିଚାଳନାକୁ ମଜଭୁତ କରିବା ପାଇଁ ୧୧୧୫ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଛି ।


କେନ୍ଦ୍ର କ୍ୟାବିନେଟରେ ସୋମବାର ଏହିପରି କୃଷି କ୍ଷେତ୍ର ସହ ଜଡ଼ିତ ସାତ କାର୍ଯ୍ୟକ୍ରମ ପାଇଁ ମୋଟ ୧୩୯୬୦ କୋଟି ଟଙ୍କାର ମୋଟ ଆବଣ୍ଟନ କରାଯାଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଜି କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ଜୀବନକୁ ଉନ୍ନତ କରିବା ଏବଂ ସେମାନଙ୍କ ଆୟକୁ ବଢାଇବା ପାଇଁ ସାତ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥିରେ ପ୍ରଥମ ହେଉଛି ଡିଜିଟାଲ୍ କୃଷି ମିଶନ । କୃଷି ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସ୍ଥାପତ୍ୟ ଆଧାରରେ ଏହାକୁ ବିକଶିତ କରାଯାଉଛି । କିଛି ଭଲ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ଏବଂ ଆମକୁ ସଫଳତା ମଧ୍ୟ ମିଳିଛି । ସେହି ଆଧାରରେ ୨୮୧୭ କୋଟି ଟଙ୍କାର ମୋଟ ନିବେଶ ସହ କୃଷି ମିଶନ ସ୍ଥାପନ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.